CrimeFeaturedLatest

ସୁପାରି ଦେଇ ସାନଭାଇକୁ ମାରିଦେଲା ବଡ଼ଭାଇ

ବାଲେଶ୍ୱର(ସଂକେତ ଟିଭି): ସମ୍ପତ୍ତି ପାଇଁ ସାନଭାଇକୁ ସୁପାରି ଦେଇ ମାରିଦେଲା ବଡ଼ ଭାଇ। ବାଲେଶ୍ବର ଜିଲ୍ଲାରେ ଘଟିଛି ଏଭଳି ଘଟଣା । ନିଖୋଜ ଭାଇର ମୃତଦେହ ୫ଦିନ ପରେ ପରିତ୍ୟକ୍ତ ଖାଦାନରୁ ମିଳିବା ପରେ ଏଭଳି ତଥ୍ୟ ସାମନାକୁ ଆସିଛି ।

ସୂଚନା ଅନୁସାରେ ଆଜି ନୀଳଗିରି ଥାନା କାଂଶ ଗ୍ରାମରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ (୨୨), ମନୋରଂଜନ ମହାପାତ୍ର(୨୧)ଙ୍କ ମୃତ ଦେହ ବ୍ଲୁ ଲେକରୁ ମିଳିଛି । ଗତ ୫ଦିନ ଧରି ୨ ସାଙ୍ଗଙ୍କ ନିଖୋଜକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟସୃଷ୍ଟି ହୋଇଥିଲା। ଦୀର୍ଘ ୫ଦିନ ପରେ ଆଜି ମୃତଦେହ ମିଳିବା ପରେ ସାମ୍ନାକୁ ଆସିଛି ଘଟଣା ପଛର ଲୋମଟାଙ୍କୁରା ସତ । ଟଙ୍କା ନେଣଦେଣକୁ ନେଇ ସାନ ଭାଇକୁ ହତ୍ୟା କରିଥିଲା ବଡ଼ ଭାଇ। ପୁଲିସ ଆଗରେ ଅପରାଧୀ ସବୁ ସତ ସ୍ବୀକାର କରିବାପରେ ଗଣମାଧ୍ୟମକୁ ଏସପି ସାଗରିକା ନାଥ ସୂଚନା ଦେଇଥିଲେ ।

ସାନ ଭାଇକୁ ହତ୍ୟା କରିବା ପାଇଁ ବଡ ଭାଇ ଓ ଭାଉଜ ସୁପାରି କିଲର ସହ ୧.୪୦ ଲକ୍ଷ ଟଙ୍କାରେ ଫାଇନାଲ ହୋଇଥିଲା । ପରେ ୩୦ ହଜାର ଆଡଭାନ୍ସ ଓ କାମ ସାରିବା ପରେ ୧.୧୦ ଲକ୍ଷ ଦେଇଥିଲେ ।

ଟଙ୍କା ନେଣଦେଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଳହ। ୫ମାସ ଧରି ସାନ ଭାଇକୁ ମାରିବାକୁ ଷଡ଼୍‌ଯନ୍ତ୍ର ରଚୁଥିଲା ବଡ଼ ଭାଇ। ଭୋଜି କରିବା ବାହାନା ଦେଖାଇ ସାନ ଭାଇକୁ ଡାକିଥିଲା ବଡ଼ଭାଇ। ଆଉ ସମୟଦେଖି ତେଲେଙ୍ଗା କଟୁରୀରେ ପୂର୍ବ ଯୋଜନା ମୂତାବକ ହତ୍ୟା କରିଛି ସୁପାରି କିଲର । ହତ୍ୟା ବେଳେ ଅନ୍ୟ ଜଣେ ଯୁବକ ଦେଖିଥିବାରୁ ତାକୁ ମଧ୍ୟ ତଣ୍ଟି ଚିପି ହତ୍ୟା କରାଯାଇଥିଲେ ।

୫ ଦିନ ତଳେ ଗାଁ ନିକଟ ଜଙ୍ଗଲ ଭିତରୁ ସେମାନଙ୍କ ବାଇକ ଓ ଚପଲ ଠାବ କରାଯାଇଥିଲା । ଆଜି ସକାଳେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ବେଳେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଏସପି ସାଗରିକା ନାଥଙ୍କ ସୂଚନା ଅନୁଯାୟୀ ଏହି ଘଟଣାରେ ମୋଟ ଜଣେ ମହିଳାଙ୍କ ସମେତ ମୋଟ ୭ ଜଣଙ୍କ ସମ୍ପୃକ୍ତି ରହିଛି। ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଫେରାର ରହିଥିବା ପୁଲିସ କହିଛି ।