FeaturedGeneralLatest

ପିଏମ୍ କିଷାନ ନିଧିର କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଉପରେ ଦସ୍ତଖତ କଲେ ମୋଦୀ

ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ଆରମ୍ଭ କରିବାର ପ୍ରଥମ ଦିନ ନରେନ୍ଦ୍ର ମୋଦୀ ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୧୭ତମ କିସ୍ତି ରିଲିଜ କରିବା ପାଇଁ ଏକ ଫାଇଲରେ ଦସ୍ତଖତ କରିଛନ୍ତି। ଏହାଦ୍ୱାରା ୯.୩ କୋଟି ଚାଷୀ ଉପକୃତ ହେବେ ଏବଂ ପ୍ରାୟ ୨୦ ହଜାର କୋଟି ଟଙ୍କା ବଣ୍ଟନ କରାଯିବ। ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଖୁବଶୀଘ୍ର ଆସିଯିବ।

ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ଲେଖିଛନ୍ତି ଯେ, ‘ପିଏମ୍‌ କିଷାନ୍‌ ନିଧିର ୧୬ ତମ କିସ୍ତି ଜାନୁଆରୀ ୨୦୨୪ ରେ ରିଲିଜ୍‌ ହେବାର ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଏହାର ଲାଭ ନେବାର ଥିଲା । ଏଥିପାଇଁ ଏଥିରେ ଗୋଟିଏ ମାସ ଡେରି କରିଥିଲେ । ୧୭ତମ କିସ୍ତି ଏପ୍ରିଲ କିମ଼୍ବା ମେ ମାସରେ ମିଳିବା କଥା, କିନ୍ତୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଥିରେ ଡେରି ହୋଇଥିଲା । ତେଣୁ ଏହି ଫାଇଲ୍‌ରେ ଦସ୍ତଖତ କରି ସେ କାହା ଉପରେ ସେମିତି ବଡ଼ ଉପକାର କରିନାହାନ୍ତି । ଇଏ ତାଙ୍କ ନିଜ ନୀତି ଅନୁସାରେ କୃଷକଙ୍କ ଅଧିକାର । ସେ ସାମାନ୍ୟ ଏବଂ ନିୟମିତ ରୂପରେ ହେଉଥିବା ପ୍ରଶାସନିକ ନିର୍ଣ୍ଣୟକୁ ଲୋକଙ୍କୁ ଦିଆଯଉଥିବା ବଡ଼ ଉପହାର ଭଳି ପ୍ରଚାର କରିବା ଅଭ୍ୟାସ କରିଛନ୍ତି । କଥା ଏପରି ଯେ ସେ ଏବେ ନିଜକୁ ଜୈବିକ ନୁହେଁ, ବରଂ ଦେବୀ ଶକ୍ତି ମାନୁଛନ୍ତି ।’