Latest

ଓଭାଲ ଟେଷ୍ଟ : ଇଂଲଣ୍ଡକୁ ୧୫୭ ରନରେ ପରାସ୍ତ ଭାରତ, ଟିମ୍ ଇଣ୍ଡିଆ ରଚିଲା ଇତିହାସ

ଲଣ୍ଡନ ୦୬।୦୯: (ସଂକେତ୍ ଟିଭି) ଓଭାଲ ଟେଷ୍ଟରେ ବିଜୟ ହାସଲ କରି ଭାରତୀୟ ଦଳ ଇତିହାସ ରଚିଛି। ଓଭାଲରେ ଭାରତୀୟ ଦଳ ୫୦ ବର୍ଷ ପରେ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଚତୁର୍ଥ ଟେଷ୍ଟରେ ଭାରତ ଘରୋଇ ଦଳ ଇଂଲଣ୍ଡକୁ ୧୫୭ ରନରେ ପରାସ୍ତ କରିଛି।

ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ରୋରି ବର୍ନସ ଓ ହସିବ ହମିଦ ୧୦୦ରନର ପାର୍ଟନରସିପ କରି ଦଳକୁ ଏକ ଭଲ ଆରମ୍ଭ ହେଇଥିଲେ ବି ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଫଳରେ ଭାରତ ଇଂଲଣ୍ଡ ହାତରୁ ବିଜୟ ଛଡ଼ାଇ ଆଣିଛି । ବର୍ନସ ୫୦, ହସିବ ୬୩ ରନ ଓ ଅଧିନାୟକ ଜୋ ରୁଟ୍ ୩୬ ରନ କରିଥିଲେ । ଭାରତ ପକ୍ଷରୁ ଉମେଶ ଯାଦବ ୩ଟି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୧୯୧ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ୨୯୦ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ଜୋରଦାର ଖେଳ ପ୍ରଦର୍ଶନ କରି ୪୬୬ ରନ କରିଥିଲା ଓ ଇଂଲଣ୍ଡ ଆଗରେ ୩୬୯ରନର ବିଜୟ ଲକ୍ଷ୍ୟ ରଖିଥିଲା ।

ଭାରତୀୟ ଦଳ ୧୯୭୧ରେ ଶେଷ ଥର ଓଭାଲଠାରେ ଟେଷ୍ଟ ମ୍ୟାଚ୍ ବିଜୟ ହାସଲ କରିଥିଲା। ୫୦ ବର୍ଷ ପରେ ମିଳିଥିବା ଭାରତୀୟ ଦଳ ପୁଣିଥରେ ସେଠାରେ ବିଜୟ ହାସଲ କରିଛି । ଭାରତୀୟ ଦଳ ଓଭାଲରେ ଏ ପର୍ଯ୍ୟନ୍ତ ୧୩ଟି ଟେଷ୍ଟ ଖେଳି ସାରିଛି। ଏଥିରୁ ଦଳ ୫ଟିରେ ହାରିଥିବା ବେଳେ ୭ଟି ମୁକାବିଲା ଡ୍ର ରହିଛି। ୧୯୭୧ରେ ଦଳ ଏକ ମାତ୍ର ବିଜୟ ହାସଲ କରିଥିଲା। ଆଜିର ବିଜୟକୁ ମିଶାଇ ଦଳ ଏହି ଗ୍ରାଉଣ୍ଡରେ ଦ୍ଵିତୀୟ ବିଜୟ ହାସଲ କରିଛି। ୧୯୭୧ର ଉକ୍ତ ମୁକାବିଲାର ଦ୍ଵିତୀୟ ଇନିଂସରେ ବି ଏସ ଚନ୍ଦ୍ରଶେଖର ୩୮ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ। ଦଳ ଏହି ମ୍ୟାଚ୍‌କୁ ୪ ଓ୍ଵିକେଟ୍‌ରେ ଜିତିଥିଲା।