Latest

ବାଲେଶ୍ବର ଓ ଖଡକପୁର ମଧ୍ଯରେ ଜାତୀୟ ରାଜପଥରେ ଅବତରଣ କରିବ ବାୟୁସେନା ଯୁଦ୍ଧବିମାନ

ବାଲେଶ୍ବର ୦୯।୦୯: (ସଂକେତ୍ ଟିଭି) ଖଡକପୁର ଏବଂ ବାଲେଶ୍ବର ମଧ୍ଯରେ ୧୬ ନମ୍ବର ଜାତୀୟ ରାଜପଥରେ ଜରୁରି ଅବତରଣ କରିପାରିବ ଭାରତୀୟ ବାୟୁସେନା ଯୁଦ୍ଧବିମାନ । ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଆଜି ଏହି ଘୋଷଣା କରିଛନ୍ତି । ଏହାର ନିର୍ମାଣ କାର୍ଯ୍ଯ ଚାଲିଛି ଏବଂ ଖୁବ୍ ଶିଘ୍ର ଏହି ନିର୍ମାଣ କାର୍ଯ୍ଯ ଶେଷ ହେବ ବୋଲି ସେ କହିଛନ୍ତି ।

ଓଡିଶା ସୀମାବର୍ତ୍ତୀ ପଶ୍ଚିମବଙ୍ଗର ବେଲଦାଠାରେ ୧୦୮ କୋଟି ଟଙ୍କା ବ୍ଯୟ ଆଟକଳରେ ୫ କିଲୋମିଟର ରାସ୍ତାକୁ ସ୍ବତନ୍ତ୍ର ଭାବରେ ନିର୍ମାଣ ଚାଲିଛି। ଏଥିପାଇଁ ଗତ ଡିସେମ୍ବର ମାସରେ ଟେଣ୍ଡର ଆହ୍ବାନ କରାଯାଇଥିଲା । ଏହାର ନିର୍ମାଣ କାର୍ଯ୍ଯ ଜୋର ସୋରରେ ଚାଲିଛି । ଭାରତୀୟ ବାୟୁସେନା ଓ ଜାତୀୟ ରାଜପଥ ପ୍ରାଧିକରଣଙ୍କ ମିଳିତ ଦେଖରେଖରେ ଏହାର ନିର୍ମାଣ କରାଯାଉଛି। ଆସନ୍ତା ୬-୭ ମାସ ଭିତରେ ଏହାର ନିର୍ମାଣ କାର୍ଯ୍ଯ ଶେଷ ହେବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହି ୫ କିଲୋମିଟର ଷ୍ଟ୍ରେଚ୍‌କୁ ସାଧାରଣ ଦିନମାନଙ୍କରେ ଯାନବାହନ ଯାତାୟାତ ଲାଗି ବ୍ୟବହାରରେ ରହିବ। ତେବେ ବାୟୁସେନାର ଆବଶ୍ୟକତା ପଡିଲେ ରାସ୍ତା ଟ୍ରାଫିକକୁ ସର୍ଭିସ ରୋଡକୁ ସିଫ୍ଟ କରିଦିଆଯିବ। ଏହି ନିର୍ମାଣ ଯୋଗୁ ଭାରତୀୟ ସେନା ଓ ତଥା ପୂର୍ବ ଉପକୂଳର ସୁରକ୍ଷା ଆହୁରି ମଜଭୁତ ହୋଇପାରିବ। ଏହା ସହିତ ବନ୍ଯା ଓ ବାତ୍ଯା ଭଳି ପ୍ରାକୃତିକ ବିପର୍ଯ୍ଯୟ ସମୟରେ ମଧ୍ଯ ରିଲିଫ ଏବଂ ଉଦ୍ଧାର କାର୍ଯ୍ଯରେ ଏହାର ବ୍ଯବହାର କରାଯାଇପାରିବ।

ଦେଶର ପ୍ରଥମ ଜାତୀୟ ରାଜପଥ ଭାବେ ଯମୁନା ଏକ୍ସପ୍ରେସ୍-ୱେରେ ଯୁଦ୍ଧ ବିମାନ ଅବତରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିଲା। ଆଜି ରାଜସ୍ଥାନର ବାଡମେର ଏନଏଚ୍-୯୨୫ର ଗାନ୍ଧବ-ବାଖାସର ସେକ୍ସନରେ ଯୁଦ୍ଧବିମାନ ଲ୍ୟାଣ୍ଡିଂ କରାଯାଇଛି ।