CrimeFeaturedLatestNews

ମହିଳା ଥାନା ଅଧିକାରିଣୀଙ୍କୁ ଦୋକାନ ଘରେ ବନ୍ଦ କରି ମାଡ଼ ମାରିଲେ ଜୁଆଡି

ବାଲିଆପାଳ (ଉମାକାନ୍ତ ନାୟକ) ଜୁଆ ଆଡଡା ଉପରେ ଚଢାଉ ବେଳେ ମହିଳା ପୋଲିସ ଆଇଆଇସିଙ୍କୁ ଏକ ଘରେ ବନ୍ଦ କରି ବାହାରୁ ତାଲା ପକାଇ ଦେଇଥିଲେ ଜୁଆଡ଼ି । ଏହାସହ ଅନ୍ୟ ପୋଲିସ ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ବାଲେଶ୍ଵର ଜିଲ୍ଲା ତାଳସାରୀ ଥାନା ଅଧିନ ଉଦୟପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ପୋଲିସ ଏହି ଘଟଣାରେ ଦୁଇ ଜଣ ମହିଳାଙ୍କ ସମେତ 15 ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇର ସାହାବାଜିପୁର ପଞ୍ଚାୟତ ଅଧିନ ଉଦୟପୁର ଗାଁରେ ଜୁଆ ଖେଳ ଚାଲିଥିବା ନେଇ ଖବର ପାଇ ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନ ସଦଳବଳେ ଚଢାଉ କରିଥିଲେ । ଘଟଣାସ୍ଥଳରେ ପହଞ୍ଚି ଜୁଆଖେଳ ବନ୍ଦ କରିବାକୁ ଥାନା ଅଧୀକାରିଣୀ କହିଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଝଗଡ଼ା ହେବା ପରେ ଅଚାନକ କିଛି ବ୍ୟକ୍ତି ତାଙ୍କୁ ମାଡ଼ ମାରିବା ସହ ଜବରଦସ୍ତ ଏକ ଦୋକାନ ଘରେ ବନ୍ଦ କରିଦେଇଥିଲେ । ତେବେ ଏନେଇ ପୋଲିସ ଗାଡିର ଡ୍ରାଇଭର ସୁଧାଂଶୁ ମହାନ୍ତି ଏହାକୁ ବିରୋଧ କରିଥିଲେ ମଧ୍ୟ ତାଙ୍କୁ ମାଡମାରି ଲହୁ ଲୁହାଣ କରିଦେଇ ଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ଭୋଗରାଇ ଥାନା ଓ ସାହାବାଜିପୁର ଫାଣ୍ଡିର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳା ଥାନା ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ଆଜି ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରିବା ସହିତ 15 ଜଣଙ୍କୁ ଗିରଫ କରାଯାଇଥିବା ଜଳେଶ୍ବର ଏସଡିପିଓ ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି ।