FeaturedLatestNews

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଚଢ଼ାଉ

ଭଦ୍ରକ (ସଂକେତ ଟିଭି) : ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଚଢ଼ାଉ କରିଛି । ଜମି କାରବାରରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଇଡି ଭୁବନେଶ୍ୱରର ୪ଟି ସ୍ଥାନ ସାଙ୍ଗକୁ ଭଦ୍ରକର ୬ଟି ସ୍ଥାନରେ ଏକକାଳୀନ ଭାବେ ଚଢ଼ାଉ କରିଛି । ପ୍ରଫୁଲ୍ଲ ସାମଲଙ୍କ ସମେତ ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି ।

ସୂଚନା ମୁତାବକ ଆଜି ସକାଳୁ ସକାଳୁ ଇଡିର ସ୍ଵତନ୍ତ୍ର ଟିମ ଆସି ଭଦ୍ରକରେ ପହଞ୍ଚିଥିଲା। ଇଡି ଟିମ ଭଦ୍ରକରେ ପହଞ୍ଚିବା ପରେ ସହରର ନୂଆ ବଜାରରେ ଥିବା ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ବାସଭବନ ଭିତରକୁ ପଶିଥିଲେ । କେନ୍ଦ୍ରୀୟ ସୁରକ୍ଷା ବଳର କଡା ସୁରକ୍ଷା ଭିତରେ ଇଡି ଟିମ୍ ଭଦ୍ରକରେ ପହଞ୍ଚିଥିଲା।

ସୂଚନା ଅନୁଯାୟୀ , ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ୩୦ କୋଟି ଟଙ୍କାର ଅର୍ଥ ହଡପ ହୋଇଥିବାର ଅଭିଯୋଗ ହୋଇଥିଲା। ଇଞ୍ଜିନିୟରିଂ କଲେଜର କର୍ମଚାରୀମାନେ ଏନେଇ ଏକାଧିକ ବାର ପ୍ରତିବାଦ କରିଥିଲେ। ବର୍ଷ ବର୍ଷ ଧରି ଦରମା ନପାଇ କଲେଜ ଆଗରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ, ବିଧାନସଭା ଆଗରେ ନ୍ୟାୟ ପାଇଁ ପ୍ରତିବାଦ କରି ନିରାଶ ହୋଇଥିଲେ। ଏହି ମାମଲା କ୍ରମେ ଇଡି ହାତକୁ ଆସିଥିଲା । ଏହି ମାମଲାକୁ ନେଇ ଆଜି ଇଡି ରେଡ୍ ଆରମ୍ଭ କରିଛି ।