FeaturedLatestNewsPolitics

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

ବଲାଙ୍ଗୀର (ସଂକେତ ଟିଭି): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଦିଆଯାଇଛି । କଣ୍ଟାବାଞ୍ଜି ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ପୋଷ୍ଟରରେ 15 ଦିନ ମଧ୍ୟରେ ହତ୍ୟା କରାଯିବା ନେଇ ଧମକ ଦିଆଯାଇଛି। ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆଜି ସକାଳେ କଣ୍ଟାବାଞ୍ଜି ସହର ବାଳିକା ହାଇସ୍କୁଲ ବାହାରେ ଥିବା ଦୋକାନ ସମ୍ମୁଖରେ ଏବଂ ପେଟ୍ରୋଲ ପମ୍ପ ନିକଟରେ ଏଭଳି ପୋଷ୍ଟର ଲାଗିଛି । ଧଳା ରଙ୍ଗର ପୋଷ୍ଟରରେ ଲାଲ ଅକ୍ଷରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ହତ୍ୟା କରିବି ବୋଲି ଲେଖା ରହିଛି । ତେବେ ବ୍ୟାନରରେ ଜଣେ ଅଜଣା ଯୁବକଙ୍କ ଫଟୋ ମଧ୍ୟ ରହିଛି । ସେପଟେ ପୋଷ୍ଟର ଦେଖି ଲୋକେ ଭୟଭୀତ ଥିବାବେଳେ କଣ୍ଟାବାଞ୍ଜି ପୋଲିସ ଏଯାବତ୍ ଦୁଇଟି ବ୍ୟାନର ଜବତ କରିଛି ।

ସୂଚନା ଅନୁସାରେ, ସନ୍ତୋଷ ସିଂ ସାଲୁଜାଙ୍କୁ 2014 ମସିହାରେ ଜମିଜମା ମାମଲାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁଥିରେ ତାଙ୍କର ଦୁଇ ଗୋଡ଼ ଦୁର୍ବୃତ୍ତ ହାଣି ଦେଇଥିଲେ । ସେହିପରି ପରବର୍ତ୍ତୀ ସମୟରେ ମଧ୍ୟ ରାଜନୈତିକ ଶତ୍ରୁତା ଓ ବ୍ୟାବସାୟିକ ଶତ୍ରୁତାକୁ ନେଇ ଅନେକ ମାମଲା ସାମନାକୁ ଆସିଥିଲା । ଏପରିକି ତାଙ୍କ ଭାଇଙ୍କ ନାଁରେ ମଧ୍ୟ ଅପହରଣ ଭଳି ଅଭିଯୋଗ, ତାଙ୍କ ପୁଅଙ୍କ ନାଁରେ ମଧ୍ୟ ଜଣେ ସିନେମା ହଲ୍ ମାଲିକଙ୍କୁ ଆକ୍ରମଣ ମାମଲାରେ ପୋଲିସ ଗିରଫ କରି ଜେଲ ପଠାଇଥିଲା । ବର୍ତ୍ତମାନ ପୁଣି ତାଙ୍କୁ କିଏ ଓ କାହିଁକି ଏପରି ହତ୍ୟା ଧମକ ଦେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ ଏହାକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ କହିଛନ୍ତି, ଲଗାଯାଇଥିବା ପୋଷ୍ଟରରେ ଜଣେ ଅଜଣା ଯୁବକର ଫଟୋ ମଧ୍ୟ ଅଛି । କିଏ ଓ କାହିଁକି ଏ ପୋଷ୍ଟର ଲଗାଇଛି ସେନେଇ ସବୁ ଦିଗକୁ ଧ୍ୟାନରେ ରଖି ତଦନ୍ତ ଆରମ୍ଭ ହୋଇଛି । ଯେଉଁଥିରେ ବିଧାୟକଙ୍କ ସହିତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଛି । ସହରର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି । ବିଧାୟକଙ୍କ ରାଜନୈତିକ ଶତ୍ରୁତା, ପାରିବାରିକ ଶତ୍ରୁତା ଓ ବ୍ୟବସାୟୀକ ଶତ୍ରୁତା କାରଣରୁ ହତ୍ୟା ଧମକ ନା ଆଉ କିଛି କାରଣ ରହିଛି, ଏସବୁ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଏଥିରେ କିଛି ମାଓ ଲିଙ୍କ ମଧ୍ୟ ଥାଇପାରେ । ତାର ମଧ୍ୟ ତଦନ୍ତ ଚାଲିଛି ।