FeaturedGeneralLatestPolitics

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ୬ ବର୍ଷ ବ୍ୟାନ୍ ଲଗାଇବାକୁ ହୋଇଥିବା ଆବେଦନ ଖାରଜ୍

ନୂଆଦିଲ୍ଲୀ (ସଂକେତ ଟିଭି) : ଦିଲ୍ଲୀ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଲଢ଼ିବା ଉପରେ ୬ ବର୍ଷ ବ୍ୟାନ୍ ଲଗାଇବାକୁ ହୋଇଥିବା ଆବେଦନ ଖାରଜ୍ କରିଛନ୍ତି । ଉତ୍ତର ପ୍ରଦେଶରେ ନିର୍ବାଚନ ରାଲି ବେଳେ ମୋଦୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ତାଙ୍କୁ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଥିଲା। ଓକିଲ ଆନନ୍ଦ ଏସ୍ ଜୋନ୍ଧାଲେ ଏହି ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଏହାକୁ ଭୁଲ ଧାରଣା ଦର୍ଶାଇ ଖାରଜ୍ କରିଦେଇଛନ୍ତି।

ସଚିନ ଦତ୍ତଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲା ଉପରେ ରାୟ ଶୁଣାଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଆବେଦକଙ୍କର ଏହା ଆଗୁଆ ଚିନ୍ତାଧାରା ବୋଲି ଜଣାପଡ଼ୁଛି। କୌଣସି ଅଭିଯୋଗରେ ନିର୍ଦ୍ଦିଷ୍ଟ ଦିଗରେ ଚିନ୍ତା କରିବାକୁ କୋର୍ଟ ଇଲେକ୍ସନ କମିଶନଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ। ଆବେଦକ କୋର୍ଟ ଆସିବା ପୂର୍ବରୁ ଇଲେକ୍ସନ କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି। ସେମାନେ ଅଭିଯୋଗ ଉପରେ ସ୍ୱାଧୀନ ଭାବରେ ଚିନ୍ତା କରିପାରିବେ। ଏଥିସହିତ ଇଲେକ୍ସନ କମିଶନଙ୍କ ପକ୍ଷରୁ ତର୍କ ରଖୁଥିବା ଓକିଲ ସିଦ୍ଧାନ୍ତ କୁମାର କହିଛନ୍ତି ଯେ ଅଭିଯୋଗ ଉପରେ ଠିକ୍ ଭାବରେ ତଦାରଖ କରାଯାଇଛି। ଖୁବ୍ ଶୀଘ୍ର ବିଧିବଦ୍ଧ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ।

ଆବେଦକ ଆନନ୍ଦ ଆବେଦନରେ ଦର୍ଶାଇଥିଲେ ଯେ ପିଏମ୍ ମୋଦୀ ଏପ୍ରିଲ ୯ ତାରିଖ ପିଲିଭିତ ଇଲେକ୍ସନ ରାଲିରେ ହିନ୍ଦୁ ଓ ଶିଖ୍ ଦେବାଦେବୀଙ୍କ କଥା କହିଥିଲେ। ମୋଦୀ ତାଙ୍କ ଭାଷଣରେ କହିଥିଲେ ଯେ ଇଣ୍ଡିଆ ମେଣ୍ଟ ସବୁବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲା। ସେମାନେ ନିମନ୍ତ୍ରଣକୁ ବି ପ୍ରତ୍ୟାଖ୍ୟାନ୍ କରିଥିଲେ ବୋଲି ମୋଦୀ କହିଥିବା ଆନନ୍ଦ ଦର୍ଶାଇଥିଲେ।

ପିଲିଭିତ ପ୍ରାର୍ଥୀ ଜିତିନ ପ୍ରସାଦଙ୍କ ସମର୍ଥନରେ ମୋଦୀ ପ୍ରଚାର କରିବା ବେଳେ କହିଥିଲେ ସେମାନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ରାମ ଲାଲାଙ୍କ ଅପମାନ କରିଥିଲେ। ସେମାନଙ୍କ ପାର୍ଟିରୁ ଯେଉଁମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦଳ ସେମାନେଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରିଦେଲା। ଶକ୍ତି ଆଜି ସାରା ଦେଶରେ ପୂଜା ପାଉଛନ୍ତି କଂଗ୍ରେସ ତାଙ୍କୁ ଅପମାନିତ କରିଛି। ଶକ୍ତିର କୌଣସି ଉପାସକ କଂଗ୍ରେସକୁ କେବେ ବି କ୍ଷମା କରିବେ ନାହିଁ ବୋଲି ମୋଦୀ କହିଥିବା ଆନନ୍ଦ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ଆଦର୍ଶ ଆଚରଣ ବିଧି (ଏମସିସି)ର ଉଲ୍ଲଂଘନ ହୋଇଛି ବୋଲି ଆବେଦନକାରୀ ଅନୁମାନ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଅଯଥା। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଚିନ ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟରେ କହିଛନ୍ତି ଯେ, ଯୋଗ୍ୟତା ବିହୀନ ହୋଇଥିବାରୁ ଆବେଦନକୁ ଖାରଜ କରାଯାଉଛି।