FeaturedLatestNews

ବାରିପଦାରେ ବ୍ୟାଙ୍କ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ

ବାରିପଦା (ସଂକେତ ଟିଭି) : ବ୍ୟାଙ୍କ ଅଫ ଇଣ୍ଡିଆର ବାରିପଦା ଶାଖାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନୀକାଣ୍ଡରେ ସମସ୍ତ କର୍ମଚାରୀ ତଥା ସେଠାରେ ଉପସ୍ଥିତ ଗ୍ରାହକ ଅଳ୍ପକେ ବର୍ତ୍ତିଛନ୍ତି ।

ସୂଚନା ଅନୁସାରେ, ବାରିପଦା ଫ୍ରେଜର ହଷ୍ଟେଲ ଛକ ଠାରେ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ବାରିପଦା ଶାଖାରେ ଦିନ ପ୍ରାୟ ୧ଟା ସମୟରେ କୌଣସି କାରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶିଖା ଯୋଗୁଁ ଅନେକ ଧୂଆଁ ବାହାରକୁ ବାହାରିଥିଲା। ଅଗ୍ନିକାଣ୍ଡ ଘଟିବା କ୍ଷଣି ବ୍ୟାଙ୍କ କର୍ମଚାରୀ ମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ଅଗ୍ନି ଶିଖାକୁ ଆୟତ୍ତ କରିଥିବା ବେଳେ ବଡ଼ ଧରଣର ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଛନ୍ତି।

। ତେବେ ବ୍ୟାଙ୍କ ମଧ୍ୟରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ପାରି ନଥିଲା ବେଳେ ବ୍ୟାଙ୍କର କ୍ୟାଣ୍ଟିନରେ ଥିବା ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରି ନ ଥିଲେ ବ୍ୟାଙ୍କକୁ ଲାଗିକି ଥିବା ସୋ-ରୁମ, ହୋଟେଲ ଓ କିଛି ଦୋକାନରେ ମଧ୍ୟ ନିଆଁ ଲାଗିଯିବାର ଆଶଙ୍କା ରହିଥିଲା । ତେବେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାଙ୍କରେ କାହାରି ଜୀବନ ହାନି ହୋଇ ନ ଥିବା ବେଳେ ବ୍ୟାଙ୍କର ଅନେକ ଜରୁରୀ କାଗଜପତ୍ର ସବୁ ଜଳି ଯାଇଥିବାର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।

ଅଗ୍ନିଶମ କର୍ମଚାରୀଙ୍କ କହିବା ମୁତାବକ, ବ୍ୟାଙ୍କରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବିଲ୍ଡିଙ୍ଗରେ ଅତ୍ୟଧିକ ଧୂଆଁ ଥିବାରୁ ସ୍ମୋକ୍ ଏକ୍ସଜସ୍ଟରର ବ୍ୟବହାର କରାଯାଉଛି । ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ କରିବା ପରେ ପୁଣି ଥରେ ସନ୍ଧାନ କରାଯିବ ବୋଲି ସେ କହିଛନ୍ତି।