LatestNews

ଭିଜିଲାନ୍ସ ଜାଲରେ ସହାୟକ ରାଜସ୍ବ ନୀରିକ୍ଷକ ଓ ଡାଟା ଏଣ୍ଟ୍ରି ଅପରେଟର

ବଲାଙ୍ଗିର (ସଂକେତ ଟିଭି) : ଲାଞ୍ଚ ନେବା ବେଳେ ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ତହସିଲ ଅନ୍ତର୍ଗତ ବେଲଗାଁ ସହାୟକ ରାଜସ୍ବ ନୀରିକ୍ଷକ ରେସମା ମାଝୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ମଣ୍ଟୁ ନନ୍ଦ ଭିଜିଲାନ୍ସ ଜାଲରେ ପଡିଛନ୍ତି । କଳାହାଣ୍ଡି ଜିଲ୍ଲା ବାଭନିମୁଣ୍ଡା ଗାଁ ର ବାସୁଦେବ ରଣାଙ୍କ ଜମି ଚିହ୍ନଟ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଲାଞ୍ଚ ନେବା ସମୟରେ ବଲାଙ୍ଗିର ଭିଜିଲାନ୍ସ ବିଭାଗ ଉଭୟଙ୍କୁ କାବୁ କରି ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଅଭିଯୋଗକାରୀଙ୍କ ଜମିପଟ୍ଟା ମଂଜୁର କରାଇଦେବାକୁ ମଣ୍ଟୁ ନନ୍ଦଙ୍କ ମାଧ୍ୟମରେ ରେସମା ମାଝୀ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ମାଝୀ ଆଜି ଟଙ୍କା ଲାଞ୍ଚ ନେବାର ଅଳ୍ପ ସମୟ ମଧ୍ୟରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୦,୦୦୦ ଟଙ୍କା ମିଳିଥିଲା। ଏହି ଟଙ୍କା ଜବତ ପରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରିଛି। ମାଝୀଙ୍କ ଦୁଇଟି ଠିକଣାରେ ତଦନ୍ତ ଜାରି ରଖିଛି।