FeaturedLatestSports

ଟି-୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା ହିଁ ଟିମ୍ ଇଣ୍ଡିଆର ଅଧିନାୟକ ରହିବା ଉଚିତ୍ : ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ (ସଂକେତ ଟିଭି): ଆଗାମୀ ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ କିଏ ହେବେ ତା ନେଇ ଚର୍ଚ୍ଚା ଚାଲିଥିବାବେଳେ ରୋହିତ ଶର୍ମାଙ୍କୁ ହିଁ ଅଧିନାୟକ ଦାୟିତ୍ୱ ଦେବା ଉଚିତ୍‌ ବୋଲି କହିଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।

ବର୍ତ୍ତମାନ ସମୟରେ ଅଧିନାୟକ ପଦ ପାଇଁ ରୋହିତଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ନାହାନ୍ତି । କାହିଁକି ନିକଟରେ ରୋହିତଙ୍କ ଅଧିନାୟକରେ ଦିନିକିଆ ବିଶ୍ୱକପ୍‌ର ଲଗାତର ୧୦ଟି ମ୍ୟାଚ୍‌ ଭାରତୀୟ ଟିମ୍‌ ଜିତିଥିଲା । ତାହା ପୁଣି ସମସ୍ତ ବିରୋଧୀ ଦଳଙ୍କ ଉପରେ ପ୍ରଭାବ ବିସ୍ତାର କରି ବିଜୟୀ ହୋଇଥିଲା । ଦଳ ଫାଇନାଲ ହାରିଛି ସତ । କିନ୍ତୁ ଦଳ ଖରାପ ଖେଳିନାହିଁ । ହୁଏତ ସେଦିନ ଭାରତୀୟ ଦଳ ପାଇଁ ଭଲ ସମୟ ନଥିଲା । ଆଉ ଟସ୍‌ ବି ଦଳ ସପକ୍ଷରେ ଯାଇନଥିଲା । ଯାହାଫଳରେ ଦଳ ଫାଇନାଲରେ ପରାଜିତ ହୋଇଥିଲା ବୋଲି ଗାଙ୍ଗୁଲି କହିଛନ୍ତି ।

ରୋହିତ ଯେତିକି ବିଶ୍ରାମ ନେବାର ଅଛି ନିଅନ୍ତୁ । ବୋର୍ଡ ପକ୍ଷରୁ ସମସ୍ତ ସହଯୋଗ ବି ମିଳୁଛି । କିନ୍ତୁ ଟି-୨୦ ବିଶ୍ୱକପ୍‌ରେ ରୋହିତ ଅଧିନାୟକ କରିବା ଉଚିତ୍ । ସେହିପରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଟି-୨୦ରୁ ବିଶ୍ରାମ ଦେବା କଥା ମୁଁ ଶୁଣିଛି । କିନ୍ତୁ ଏହା ଉଚିତ୍‌ ନୁହେଁ । ଉଭୟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ରୋହିତ-ବିରାଟଙ୍କ ପରି ମ୍ୟାଚ୍‌ ଓ୍ୱିନର ଆମକୁ ଆଜିକା ଦିନରେ ମିଳିବନାହିଁ । ତେଣୁ ସେମାନେ ଆଗାମୀ ଟି-୨୦ ବିଶ୍ୱକପ୍‌ ଖେଳିବା ଉଚିତ୍‌ । ଯାହାଦ୍ୱାରା କି ଟୁର୍ଣ୍ଣାମେଣ୍ଟରେ ଆମ ଦଳକୁ ବି ଫାଇଦା ହେବ ବୋଲି ଗାଙ୍ଗୁଲି କହିଛନ୍ତି ।