CulturalFeaturedLatest

ମୂର୍ତ୍ତି ଉଚ୍ଚତା ନେଇ ଆବେଦନ ଅଗ୍ରାହ୍ୟ, ହାଇକୋର୍ଟ କହିଲେ ମୂର୍ତ୍ତିର ଉଚ୍ଚତା ସହ ପୂଜାର ସମ୍ପର୍କ ନାହିଁ

କଟକ ୧୭/୦୯ : (ସଂକେତ ଟିଭି) ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ପୂଜା କମିଟିର ଆବେଦନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ । ମୂର୍ତ୍ତିର ଉଚ୍ଚତା ସହ ପୂଜାର ସମ୍ପର୍କ ନାହିଁ । ତେଣୁ ମୂର୍ତ୍ତି ଉଚ୍ଚତା ବଢିବନି ବୋଲି ରାୟ ଦେଇଛନ୍ତି ହାଇକୋର୍ଟ । ଏହା ସହିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ କାଏମ ରଖିଛନ୍ତି।

ସୂଚନା ଅନୁସାରେ, କଟକ ବାଲୁ ବଜାର ପୂଜା କମିଟି ତରଫରୁ ଗତ ଅଗଷ୍ଟ ୯ ତାରିଖରେ ଏସଆରସି ଜାରି କରିଥିବା ବିଜ୍ଞପ୍ତିର କ୍ଲଜ୍ ୪କୁ ମୁଖ୍ୟତଃ ଚ୍ୟାଲେଞ୍ଜ କରି ଗତ ୧୪ ତାରିଖ ଦିନ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ୫୦୦ ବର୍ଷର ପୁରୁଣା ପରମ୍ପରା ଅନୁସାରେ ଏଠାରେ ମା ଦୁର୍ଗାଙ୍କ ୮ ଫୁଟ ଉଚ୍ଚର ମୂର୍ତ୍ତି ପୂଜା ପାଇଆସୁଛି। ଏଣୁ ସରକାରଙ୍କ ମୂର୍ତ୍ତି କଟକଣାକୁ ବାଲୁ ବଜାର ପୂଜା କମିଟି ବିରୋଧ କରି ୮ ଫୁଟ ମୂର୍ତ୍ତି ନିର୍ମାଣ ନେଇ ହାଇକୋର୍ଟରେ ଏକ ରିଟ ପିଟିସନ ଦାୟର କରିଥିଲା। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ଭିତରେ ୮ ଫୁଟ ମୂର୍ତ୍ତି ନିର୍ମାଣ କରି ପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଗତକାଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।

ମହାମାରୀ ବେଳେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି । କେବଳ ଗୋଟିଏ ପୂଜା ମଣ୍ଡପକୁ ଅନୁମତି ଦେଇ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଗତବର୍ଷ ଏକ ମାସ ଆଗରୁ ମୂର୍ତ୍ତି ନିର୍ମାଣ ହୋଇସାରିଥିଲା । ତେଣୁ ୯ ପୂଜା ମଣ୍ଡପରେ ମୂର୍ତ୍ତି ବଡ଼ କରିବା ଲାଗି ଅନୁମତି ଦିଆଯାଇଥିଲା । ଚଳିତ ବର୍ଷ ସେଭଳି ଅବସ୍ଥା ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।