CulturalFeaturedLatest

ମକର ସଂକ୍ରାନ୍ତିରେ ସାରା ବିଶ୍ୱ କରିବ ‘ସୂର୍ଯ୍ୟ ନମସ୍କାର’

ନୂଆଦିଲ୍ଲୀ, ୧୦/୦୧: (ସଂକେତ୍ ଟିଭି) ଯେମିତି ଦିନେ ସାରା ବିଶ୍ୱ ଭାରତ ସହିତ ଏକାସଙ୍ଗେ ଯୋଗ କରିଥିଲା ସେହିଭଳି ଆଗାମୀ ଜାନୁୟାରୀ ୧୪ ତାରିଖରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସାରା ବିଶ୍ୱ ସୂର୍ଯ୍ୟଙ୍କ ସମ୍ମାନରେ ‘ସୂର୍ଯ୍ୟ ନମସ୍କାର’ କରିବ ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସାରା ବିଶ୍ୱକୁ ନିଜର ଆଲୋକରେ ଆଲୋକିତ କରିଆସୁଥିବା ସୂର୍ଯ୍ୟଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ତାଙ୍କୁ ପ୍ରଣାମ କରିବା ଲାଗି ସାରା ବିଶ୍ୱରେ ପ୍ରାୟ ୭୫ ଲକ୍ଷ ଲୋକ ‘ସୂର୍ଯ୍ୟ ନମସ୍କାର’କରିବାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

ପ୍ରକାଶଥାଉ କି, ସୂର୍ଯ୍ୟ ନମସ୍କାର ଯୋଗୁଁ ଆମ ଶରୀରକୁ ଊର୍ଜା ମିଳିଥାଏ । ସୂର୍ଯ୍ୟଙ୍କ ପ୍ରଥମ କିରଣ ଶରୀର ଉପରେ ପଡ଼ିଲେ ଏହା ଦେହରେ ଓଜଃ ଓ ସ୍ଫୃର୍ତ୍ତି ଭରିଦେଇଥାଏ ବୋଲି ଆୟୁଷ ମନ୍ତ୍ରଣାଳୟ କହିଛି । ପୁନଶ୍ଚ ଡାକ୍ତରୀ ଚିକିତ୍ସା ଓ ଆଧୁନିକ ବିଜ୍ଞାନରେ ମଧ୍ୟ ପ୍ରତ୍ୟେକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ବୋଲି ଜଣାପଡ଼ିଛି । ଶରୀରରେ ସୂର୍ଯ୍ୟକିରଣ ପଡ଼ିଲେ ଏହା ଆମ ଦେହରେ ଭିଟାମିନ-ଡି ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକମାନେ କହିସାରିଛନ୍ତି ।

ତେଣେ ସୂର୍ଯ୍ୟ ନମସ୍କାର ଜରିଆରେ ସମଗ୍ର ବିଶ୍ୱକୁ ବର୍ତ୍ତମାନ ଦ୍ରୁତଗତିରେ ହେଉଥିବା ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂକୁ ନେଇ ଚେତାଇ ଦେବାକୁ ଚାହୁଁଛି ଆୟୁଷ ମନ୍ତ୍ରଣାଳୟ । ଏଣୁ ଲୋକଙ୍କୁ ସୂର୍ଯ୍ୟ ନମସ୍କାର ଦ୍ୱାରା ଅଧିକ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଆସନ୍ତା ୧୪ ତାରିଖରେ ଆୟୁଷ ମନ୍ତ୍ରଣାଳୟ ଏଭଳି କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖିଛି ।