CulturalFeaturedLatest

କାଳିଆ ଦର୍ଶନରେ ଆଉ ଦରକାର ନାହିଁ ଟୀକା ପ୍ରମାଣ ପତ୍ର

ପୁରୀ , ୨୧।୨: (ସଂକେତ ଟିଭି) ପୁରୀ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସମସ୍ତ କୋଭିଡ୍ କଟକଣା ହଟାଇ ଦିଆଯାଇଛି । ଏଣିକି ଆଉ ଜଗା ଦର୍ଶନ ପାଇଁ ଦରକାର ପଡିବନି କୋଭିଡ ଟିକାର ପ୍ରମାଣପତ୍ର । ଆଜି ଠାରୁ ବିନା କୋଭିଡ ପ୍ରମାଣପତ୍ରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ନୀତି ସେବକ କମିଟି ଓ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପାଇଁ ଏହି ନୂଆ ମାର୍ଗଦର୍ଶିକା ଜାରି ହୋଇଛି।

ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଟୀକା ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ । ଶ୍ରଦ୍ଧାଳୁଙ୍କୁ କିଓସ୍କରେ ଧାଡ଼ିରେ ମଧ୍ୟ ଛିଡ଼ା ହେବାକୁ ପଡିବନି। କିଅସ୍କ ହଟିବା ପରେ ଶ୍ରଦ୍ଧାଳୁଙ୍କୁ ଆଉ ଲମ୍ବା ସମୟ ପ୍ରତୀକ୍ଷା କରିବାକୁ ପଡୁନାହିଁ ।

ନୂତନ ମାର୍ଗଦର୍ଶିକା ଅନୁଯାୟୀ ଶ୍ରଦ୍ଧାଳୁମାନେ ସକାଳ 6 ରୁ ରାତ୍ରି 9 ପର୍ଯ୍ୟନ୍ତ ଦର୍ଶନର ସୁବିଧା ପାଇବେ । ପୂର୍ବ ଭଳି ପୂର୍ବ ଦ୍ବାର ତଥା ସିଂହ ଦ୍ବାର ଦେଇ ଶୃଙ୍ଖଳିତ ଭାବେ ଧାଡିରେ ଶ୍ରୀମନ୍ଦିର ପ୍ରବେଶ କରିବା ସହ ଉତ୍ତର ଓ ଦକ୍ଷିଣ ଦ୍ବାରରେ ପ୍ରସ୍ଥାନ କରୁଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯାଇଛି । ଧାଡିରେ ଦର୍ଶନ ପାଇଁ ଯାଉଥିବା ସମସ୍ତ ଭକ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।

ରବିବାରକୁ ଛାଡି ଶ୍ରଦ୍ଧାଳୁମାନେ ସପ୍ତାହରେ 6 ଦିନ ଜଗା ଦର୍ଶନର ସୁବିଧା ସୁଯୋଗ ପାଇ ପାରିବେ । ରବିବାର ଶ୍ରୀମନ୍ଦିର ବିଶୋଧନ ଉଦ୍ଦେଶ୍ୟରେ ବନ୍ଦ ରଖାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।