FeaturedLatestLifestyle

୪୨ ବର୍ଷରେ ହେଲେ ମିସ୍ ଇଣ୍ଡିଆ ୟୁନିଭର୍ସ

ନୂଆଦିଲ୍ଲୀ ୦୯।୦୪ : (ସଂକେତ ଟିଭି) ବିବାହ ପରେ ଅଧିକାଂଶ ଭାରତୀୟ ମହିଳା ତାଙ୍କ ପରିବାର ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ଏମିତି ଅନେକ ମହିଳା ଅଛନ୍ତି ବାହାଘର ପରେ ପାରିବାରିକ ବନ୍ଧନରେ ବାନ୍ଧି ହୋଇ ସେମାନଙ୍କ ପାଠ ପଢ଼ା ସହିତ କ୍ୟାରିଅରରେ ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ । ଫଳରେ ସେମାନଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ । ସେହିପରି ଅନେକ ପରିବାର ଅଛନ୍ତି ଯେଉଁଠି ବିବାହ ପରେ ଶାଶୁ ଶ୍ୱସୁର ମାନେ ନିଜ ବୋହୁର ସ୍ୱପ୍ନ ପୁରଣ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଅନ୍ତି ।

ଆଜି ଆମେ ଆପଣଙ୍କୁ ଜଣେ ଏମିତି ମହିଳାଙ୍କ କଥା କହିବାକୁ ଯାଉଛୁ ଯିଏକି ବିବାହର ଦୀର୍ଘ ୨୨ ବର୍ଷ ପରେ ନିଜର ସ୍ୱପ୍ନ ପୂରଣ କରିବାରେ ସଫଳ ହୋଇଛନ୍ତି । ଏହି ସ୍ୱପ୍ନକୁ ପୁରଣ କରିବା ପାଇଁ ତାଙ୍କ ପରିବାରର ତାଙ୍କୁ ସବୁ ପ୍ରକାର ସୁବିଧା ଦେଇଛନ୍ତି । ଏହି ମହିଳା ଜଣଙ୍କ ପିଲାବେଳୁ ଫେସନ ଫିଲ୍ଡରେ ନିଜର ନାମ କମାଇବାକୁ ଇଚ୍ଛା ରଖିଥିଲେ । ଏବେ ସେ ୪୨ ବର୍ଷ ବୟସରେ ମିସ୍ ଇଣ୍ଡିଆ ୟୁନିଭର୍ସ ୨୦୨୨ର ମୁକୁଟ ପିନ୍ଧିଛନ୍ତି । ମିସ ଇଣ୍ଡିଆ ୨୦୨୨ର ବିଜୟିନୀ ହୋଇଥିବା ଏହି ମହିଳା ହେଉଛନ୍ତି ଶ୍ୱେତା ଜୋଶୀ ।

ସେ କହିଛନ୍ତି ମୁଁ ଅମୃତସରରେ ଜନ୍ମ ଗ୍ରହଣ କରିଛି ଓ ସେଠାରେ ମୋ ସ୍କୁଲ କଲେଜ ଶିକ୍ଷା ସମାପ୍ତ ହୋଇଛି । ବାହାଘର ପରେ ମୁଁ ବିଏଡ କରିଛି । କର୍ଣ୍ଣେଲ ରମଣ ରାଢା ମୋର ସ୍ୱାମୀ ଓ ସେ ଏବେ ହାଏଦ୍ରାବାଦରେ ଚାକିରି କରୁଛନ୍ତି । ସେ ମୋତେ ସମସ୍ତ ପରିସ୍ଥିତିରେ ସାହାଯ୍ୟ କରିବା ସହିତ ମୋର ସାଥ ଦେଇଛନ୍ତି । ଶ୍ୱେତା କହିଛନ୍ତି ପ୍ରଥମରୁ ମୋ ମନରେ ଫେସନ ଫିଲ୍ଡରେ ଯିବା ପାଇଁ ଆଗ୍ରହ ଥିଲା । ସ୍ଥଳସେନାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବାହାଘର ପରେ ମୁଁ ଅନେକ ଥର ଅଂଶ ଗ୍ରହଣ କରିଛି । କିନ୍ତୁ ବ୍ୟକ୍ତିଗତ ଭାବେ ଏହା ମୋର ପ୍ରଥମ ପ୍ରତିଯୋଗିତା ଥିଲା । ଏହି ପ୍ରତିଯୋଗିତାରେ ଭାଗ ନେବାର ପ୍ରଥମ ଥର ହିଁ ମୁଁ ମିସ୍ ଇଣ୍ଡିଆ ୨୦୨୨ ଟାଇଟେଲ ହାତେଇବାରେ ସଫଳ ହୋଇଛି । ଶ୍ୱେତାଙ୍କର ୧୯ ବର୍ଷର ଝିଅ ଏବଂ ୧୫ ବର୍ଷର ପୁଅ ଅଛନ୍ତି ।