CrimeEducationFeaturedLatestNews

୧୪ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରାପଡିଲେ ପ୍ରଧାନଶିକ୍ଷକ

ବରଗଡ (ସଂକେତ ଟିଭି) : ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ। ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କୂଶନପୁରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଉକ୍ତ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏହାପରେ ତାଙ୍କର ଏକକାଳୀନ ୨ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି।

ସେ ସ୍ଥାନୀୟ ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ସଫେଇ ଏବଂ ରାତ୍ର ଜଗୁଆଳି ଦାୟିତ୍ବ ଦେବା ନେଇ ୧୪ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ଯୋଜନା ପ୍ରସ୍ତୁତ କରି ଲାଞ୍ଚ ନେବାବେଳେ ପ୍ରଧାନ ଶିକ୍ଷକ ପ୍ରଧାନଙ୍କୁ କାବୁ କରିଥିଲା। ତାଙ୍କ ପାଖରୁ ଲାଞ୍ଚ କାରବାରରେ ବ୍ୟବହୃତ ରାସାୟନିକ ପ୍ରଳେପ ଦିଆହୋଇଥିବା ୧୪ହଜାର ଟଙ୍କା ଜବତ ହୋଇଛି।

ଏହାପରେ ବାଳମୁକୁନ୍ଦଙ୍କର ଦୁଇଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଆଶଙ୍କାରେ ଏକକାଳୀନ ଚଢ଼ାଉ ଚାଲିଛି। ଏହି ଘଟଣା ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ପ୍ରଧାନଙ୍କ ବିରୋଧରେ ଅଧିକ ତଦନ୍ତ ଚାଲିଛି।