LatestNewsPolitics

୨୪ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏପ୍ରିଲ ୨୪ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ । ଏପ୍ରିଲ ୨୪ ରେ ସକାଳ ୧୦:୩୦ ରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ତା’ପରେ ସେ ସକାଳ ୧୧:୩୦ ରେ ଶେରଗଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ।କେବଳ ସେତିକି ନୁହେଁ ୨୪ରେ ନବୀନ ଏକ ରୋଡ଼ ସୋ’ ମଧ୍ୟ ଆୟୋଜନ ହେବ । ଏହାର ରୋଡ଼ ମ୍ୟାପର ପ୍ରସ୍ତୁତି ଚାଲିଥିବା ଦଳ ପକ୍ଷରୁ କୁହାଯାଇଛି । କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରିପୋର୍ଟରେ କୁହାଯାଇଛି।

ସେହିପରି ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ସେହି ଦିନ ସେ ପ୍ରଥମେ ତାରା ତାରିଣୀ ମନ୍ଦିର ଯିବେ। ପରେ ନାମାଙ୍କନପତ୍ର ଦାଖଲ କରି ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବାର ଯୋଜନା ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାର ଏକ ମାରାଥନ୍ ଅଭିଯାନ କାର୍ୟ୍ୟକ୍ରମ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ମେ ୧ରେ ମୁଖ୍ୟମନ୍ତ୍ରୀ ଖଲ୍ଲିକୋଟ, କବିସୂର୍ଯ୍ଯନଗର , ଦିଗପହଣ୍ଡି ଏବଂ ଛତ୍ରପୁରରେ ପ୍ରଚାର କରିବେ। ଭଞ୍ଜନଗର, ପୋଲସରା, ସାନଖେମୁଣ୍ଡି ଏବଂ ସୋରଡ଼ାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବେ ଏବଂ ମେ ୩ ରେ ରାଲି ଅନୁଷ୍ଠିତ ହେବ। ସେହିପରି ଗୋପାଳପୁର ଏବଂ ଆସ୍କାରେ ନବୀନଙ୍କର ଦୁଇଟି ସାଧାରଣ ସଭା ରହିଛି।

ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେଉଛି । ନିର୍ବାଚନ ହେଉଥିବା ୪ ସଂସଦୀୟ କ୍ଷେତ୍ରଗୁଡିକ ହେଉଛି କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର । ଏହି ୪ ଲୋକସଭା ଆସନ ଅଧୀନସ୍ଥ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ପ୍ରଚାର କରିବେ ନବୀନ । ସେଥିପାଇଁ ୨୫ ତାରିଖ ଦିନ ନବୀନ ରାୟଗଡ଼ା ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ନବୀନ ବିଭିନ୍ନ ଲୋକସଭା କ୍ଷେତ୍ର ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ଭୋଟ ପ୍ରାର୍ଥନା କରିବେ ।

ସେପଟେ ବିଜେଡି ଟୋପି ପିନ୍ଧିଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ଫଟୋ ଫଟୋ ସାମ୍ନାକୁ ଆସିଛି । ଦଳ ପକ୍ଷରୁ ଜାରି ହୋଇଥିବା ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ‘କ୍ୟାପଟେନ ଇଜ ଏଭର ରେଡି’ ଲେଖି ବିଜେଡି ନେତା ଓ କର୍ମୀ ଏହି ଫଟୋକୁ ପୋଷ୍ଟ କରୁଛନ୍ତି । ପ୍ରଚାରର ନେତୃତ୍ୱ ନେବା ପାଇଁ ସଭାପତି ପ୍ରସ୍ତୁତ ଥିବା ଦଳ ପକ୍ଷରୁ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି ।