FeaturedLatestNews

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ

ଭୁବନେଶ୍ବର (ସଂକେତ ଟିଭି) : ବାଲେଶ୍ବର ଜିଲ୍ଲା ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୭୯ ବର୍ଷ ହୋଇଥିଲା। ଗତକାଲି ରାତି ୧୨ଟା ୧୫ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ କମଳା ଦାସଙ୍କର ପରଲୋକ ହୋଇଛି।

ବାଲେଶ୍ବର ଜିଲ୍ଲା ଭୋଗରାଇର ତିନି ଥରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସ ଦୀର୍ଘ ଦିନ ହେବ ଫୁସଫୁସ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଗତ ଦୁଇ ସପ୍ତାହ ତଳେ ସେ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ଅସୁସ୍ଥ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା। ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ ସୂଚନା ଦେଇଛନ୍ତି।

କମଳା ଦାସ ଭୋଗରାଇ ବ୍ଲକ ଶଙ୍ଖାରୀ ଗ୍ରାମରେ ୧୬ ଅଗଷ୍ଟ ୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବାପାଙ୍କ ନାମ ଥିଲା ଗୟା ପ୍ରସାଦ ପାତ୍ର । ସେ ଡାକ୍ତରୀ ଛାତ୍ରୀ ଭାବରେ ଏମବିବିଏସ କରିଥିଲେ ଓ ପରେ ଏମଏସ କରିଥିଲେ । କମଳା ଦାସ ଓଡିଶା ରାଜନୀତିରେ ଜନତା ଦଳର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । କମଳା ଦାସ ଭୋଗରାଇର ପୂର୍ବତନ ବିଧାୟିକା ଭାବରେ କାର୍ଯ୍ୟ କରିବା ସହ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୦ ମସିହାରେ ପ୍ରଥମଥର ପାଇଁ ସେ ଜନତା ଦଳ ଟିକେଟ୍‌ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ମଧ୍ୟ ହୋଇଥିଲେ। ଏହାପରେ ସେ ୧୯୯୫-୨୦୦୦ ମସିହାରେ ମଧ୍ୟ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସେ ମଧ୍ୟ ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ପଦ ସମ୍ଭାଳିଥିଲେ । କମଳା ଦାସ ଓଡ଼ିଶା ରାଜନୀତିରେ ଜନତା ଦଳର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ।ଏବଂ ପରେ ବିଜେଡ଼ି ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ।