FeaturedLatestNewsPolitics

କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର (ସଂକେତ ଟିଭି) : ବିଧାୟକ ସୁର ରାଉତରାୟ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି।

ସୁର ରାଉତରାୟ ଏକ ଚିଠି ଲେଖି କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲା । ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି। ଏଣୁ ବିବେକ ଦୃଷ୍ଟିରୁ ସମସ୍ତ କମିଟି ଇସ୍ତଫା ଦେଉଛି। ସମସ୍ତ କମିଟିରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି ସୁର ସ୍ପଷ୍ଟ କରିଛନ୍ତି । ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି। ମୋ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ଆଜି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏହା ପରେ ତାଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିଛି ।

ବିଜେଡିରେ ଯୋଗ ଦେବା ପରେ ମନ୍ମଥ କହିଛନ୍ତି, ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି। ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହୋଇଛି। ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି। ନିର୍ବାଚନ ଲଢ଼ିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବ। ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି।