CulturalFeaturedLatest

କେଦାରନାଥରେ ବନ୍ଦ ହେବ ଭିଆଇପି ଦର୍ଶନ

ଡେରାଡୁନ୍ (ସଂକେତ୍ ଟିଭି) : ବାବା କେଦାରନାଥ ଧାମରେ ଏବେ ଭିଆଇପି ଦର୍ଶନ ଉପରେ ରୋକ ଲଗାଯାଇଛି । ଏହାକୁ ନେଇ ଖୁବ୍‌ ଶୀଘ୍ର ଏକ ନିଦ୍ଦେର୍ଶନାମା ଜାରି ହେବାକୁ ଯାଉଛି । ଚାରି ଧାମ ଯାତ୍ରାରେ ଭିଡ଼ ବଢୁଥିବାର ଦେଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଭିଆଇପି ଯାତ୍ରା ଉପରେ ରୋକ ଲଗାଇବାକୁ ସରକାର ଖୁବ୍‌ ଶୀଘ୍ର ଏକ ଲିଖିତ ଆଦେଶ ଜାରି କରିବେ ।

ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ଆରମ୍ଭ ହେବାର ଗୋଟାଏ ସପ୍ତାହ ବିତିଗଲାଣି ।ଏବେ ସୁଦ୍ଧା ଏହି ଯାତ୍ରୀରେ ୨୮ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇ ସାରିଲାଣି । ଏହି ପରିସ୍ଥିତିରେ ସରକାରଙ୍କ ପ୍ରସ୍ତୁତିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ଚାରିଧାମ ଯାତ୍ରାରେ ସବୁଠାରୁ ଅଧିକ ଭିଡ଼ କେଦାରନାଥରେ ହେଉଛି । ସୁରକ୍ଷା ପାଇଁ ସରକାର ଏଠାରେ ଏନଡିଆର୍‌ଏଫ୍‌ ଏବଂ ଆଇଟିବିପି କର୍ମୀଙ୍କୁ ବି ନିଯୁକ୍ତି ଦେଇଛନ୍ତି । ତେବେ ସରକାରଙ୍କ କହିବା କଥା ହେଲା, ଘଟିଥିବା ମୃତ୍ୟୁ ସବୁ ଅବ୍ୟବସ୍ଥା ପାଇଁ ଘଟିନାହିଁ । ମୁଖ୍ୟତଃ ହୃଦଘାତ ହେତୁ ହିଁ ତୀର୍ଥଯାତ୍ରୀମାନଙ୍କ ମୃତ୍ୟୁ ଘଟିଛି ।

ଉଲ୍ଲେଖଯୋଗ୍ୟ, ମେ ୩ ତାରିଖରୁ ଆରମ୍ଭ ହୋଇଛି ଉତ୍ତରାଖଣ୍ଡର ‘ଚାର୍‌ ଧାମ ଯାତ୍ରା’ । ଏହି ଚାରି ଧାମ ହେଉଛି ୟମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରାନାଥ ଓ ବଦ୍ରିନାଥ । ପୂର୍ବରୁ ତୀର୍ଥଯାତ୍ରୀମାନଙ୍କ ମୃତ୍ୟୁକୁ ନେଇ କୁହାଯାଇଥିଲା ଯେ ତୀର୍ଥଯାତ୍ରୀମାନଙ୍କୁ କେଦାରନାଥ ଓ ୟମୁନୋତ୍ରୀ ଧାମ ପାଇଁ ଏକ କଷ୍ଟ ମାର୍ଗ ଦେଇ ଯିବାକୁ ପଡୁଛି । ଏହି ଅଞ୍ଚଳ ଦେଇ ଚାଲିବା ସମୟରେ ଥଣ୍ଡା ହେତୁ ଅମ୍ଳଜାନ କମ୍‌ ରହିଥାଏ, ଯାହାକି ହାଇପୋକ୍ସିଆ, ହୃଦଘାତ ଉଚ୍ଚ ରକ୍ତଚାପ, ଶ୍ୱାସ ଆସି ସମସ୍ୟାର କାରଣ ହୋଇଥାଏ । ଅଧିକାଂଶ ତୀର୍ଥଯାତ୍ରୀଙ୍କୁ ମୃତ୍ୟୁ ଏହି କାରଣରୁ ଘଟୁଛି ।