FeaturedLatest

୧୫ % ଭାରତୀୟ ମାସକୁ ଆୟ କରନ୍ତି ୫ ହଜାରରୁ କମ୍ ଟଙ୍କା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦେଶରେ ବେକାରୀ ସମସ୍ଯା କମିଥିବାବେଳେ ନାଗରିକଙ୍କ ରୋଜଗାର ବି ବଢିନାହିଁ । ଇଣ୍ଟରନ୍ଯାସନାଲ ମନିଟାରୀ ଫଣ୍ଡ (ଆଇଏମଏଫ)ର ରିପୋର୍ଟରୁ ଏକଥା ଜଣା ପଡିଛି । ତେବେ ଦେଶରେ ଦାରିଦ୍ର୍ୟ ୧୨.୩ ପ୍ରତିଶତ କମିଛି । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଏହା ଅଧିକ ବୋଲି ଆଇଏମଏଫ କହିଛି ।

ଆଇଏମଏଫ ରିପୋର୍ଟ ଅନୁସାରେ, ଭାରତରେ ୨୦୧୧ରୁ ୨୦୧୯ ମଧ୍ୟରେ ଦାରିଦ୍ର୍ୟ ଦୂରିକରଣ ହାର ୧୨.୩ ପ୍ରତିଶତ ରହିଥିଲା । କିନ୍ତୁ ଏହି ହାର ୨୦୦୪ରୁ ୨୦୧୧ ହାର ଅନୁସାରେ କମ୍ ରହିଛି । ତେବେ ଦେଶରେ ଅର୍ଥନୈତିକ ତାରତମ୍ୟ ଖୁବ ବେଶୀ ରହିଛି । ଦାରିଦ୍ର୍ୟ ସୀମାରେଖାରେ ରହୁଥିବା ବ୍ୟକ୍ତିଙ୍କ ଦୈନିକ ଆୟ ୧.୯୦ ଡଲାର ହୋଇଥିବା ବେଳେ ସୀମାରେଖାଠୁ ସାମାନ୍ୟ ଉପରେ ରହୁଥିବା ବ୍ୟକ୍ତିଙ୍କ ଦୈନିକ ଆୟ ୩.୨୦ ଡଲାର ରହିଛି ।

ରିପୋର୍ଟ ଅନୁସାରେ, ଦେଶରେ ମୋଟ ୧୦ ପ୍ରତିଶତ ଲୋକଙ୍କ ପାଖରେ ମୋଟ ଆୟର ୫୭ ପ୍ରତିଶତ ଥିବା ବେଳେ ଅନ୍ୟ ୯୦ ପ୍ରତିଶତଙ୍କ ପାଖରେ ବଳକା ଆୟ ରହିଛି । ଏତତ୍ ବ୍ୟତୀତ ୧୫ ପ୍ରତିଶତ ଭାରତୀୟଙ୍କ ଦୈନିକ ଆୟ ୫ ହଜାର ଟଙ୍କାରୁ କମ୍ ଅଟେ । ୧ ପ୍ରତିଶତ ଧନୀଙ୍କ ପାଖରେ ଦେଶର ମୋଟ ଆୟର ୨୨ ପ୍ରତିଶତ ରହିଛି ।

ଏତତ୍ ବ୍ୟତୀତ ୨୦୧୯-୨୦ରେ ନିଯୁକ୍ତି ବର୍ଗରେ ୪୫.୭୮ ପ୍ରତିଶତ ବ୍ୟକ୍ତି ନିଜେ ରୋଜଗାର କରି ପରିବାର ଚଳାଉଛନ୍ତି । ଅର୍ଥାତ ସେମାନେ ସ୍ୱାବଲମ୍ବୀ ଅଟନ୍ତି । ୩୩.୫ ପ୍ରତିଶତ ବ୍ୟକ୍ତି ଦରମା ପ୍ରାପ୍ତ ଅଟନ୍ତି । ସେହିପରି ୨୦.୭୧ ପ୍ରତିଶତ ବ୍ୟକ୍ତି କାଜୁଆଲ ଓ୍ୱାର୍କର ଭାବେ କାର୍ଯ୍ୟ କରୁଛନ୍ତି ।

ନ୍ୟାଶନାଲ ଫ୍ୟାମିଲି ହେଲଥ୍ ସର୍ଭେର ରିପୋର୍ଟ ଅନୁସାରେ, ଚଣ୍ଡିଗଡରେ ସବୁଠାରୁ ଅଧିକ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ରହୁଛନ୍ତି । ୭୯ ପ୍ରତିଶତ ଚଣ୍ଡିଗଡବାସୀଙ୍କ ପାଖରେ ଆବଶ୍ୟକତା ଠାରୁ ଅଧିକ ସମ୍ପତ୍ତି ରହିଛି । ଚଣ୍ଡିଗଡ ପଛକୁ ଦିଲ୍ଲୀ(୬୮ ପ୍ରତିଶତ) ଓ ପଞ୍ଜାବ (୬୧ ପ୍ରତିଶତ) ରହିଛି ।

ଆହୁରି ମଧ୍ୟ ଜଣାପଡିଛି ଯେ, ଜୈନ ଧର୍ମାବଲମ୍ବୀ ମାନେ ଅଧିକ ଧନୀ । ମୋଟ ୮୦ ପ୍ରତିଶତ ଜୈନ ଧର୍ମାବଲମ୍ବୀ ଆର୍ଥିକ ଭାବେ ଖୁବ୍ ସ୍ୱଚ୍ଛଳ । କେବଳ ୧.୬ ପ୍ରତିଶତଙ୍କସମ୍ପତ୍ତି ଖୁବ୍ କମ୍ ଅଟେ । ଶିଖ ଧର୍ମାବଲମ୍ବୀଙ୍କ ମଧ୍ୟରୁ ୫୯.୧ ପ୍ରତିଶତ ଆର୍ଥିକ ବର୍ଗରେ ସ୍ୱଚ୍ଛଳ ଅଟନ୍ତି । କେବଳ ସେତିକି ନୁହେଁ, ଦେଶରେ ୭୧ ପ୍ରତିଶତ ଅନୁସୂଚିତ ଜନଜାତି ଓ ୪୯ ପ୍ରତିଶତ ଅନୁସୂଚିତ ଜାତିଙ୍କ ସମ୍ପତ୍ତି ଆବଶ୍ୟକ ଅନୁସାରେ କମ୍ ।

ସେହିପରି ଗୁଜୁରାଟର ମହିଳାମାନେ ପୁରୁଷଙ୍କ ଭଲି ସମାନ ଆୟ କରନ୍ତି । କେହିକେହି ନିଜ ସ୍ୱାମୀଙ୍କଠାରୁ ଅଧିକ ଆୟ ମଧ୍ୟ କରିଥାନ୍ତି । ଏହାପଛକୁ ଚଣ୍ଡିଗଡ, ଛତିଶଗଡ ଓ ଅରୁଣାଚଳ ପ୍ରଦେଶ ମହିଳାଙ୍କ ଆୟ ଅଧିକ ଥିବା ଏନଏଫଏଚଏସ ରିପୋର୍ଟରେ ଜଣାପଡିଛି ।