CulturalLatest

ଜୁନ୍‌ ୩ରୁ କଳାକ୍ଷେତ୍ରର କଳାମେଳା

ବାଲେଶ୍ବର (ସଂକେତ୍ ଟିଭି) : ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ (କଳାକ୍ଷେତ୍ର)ଦ୍ୱାରା ଓଡ଼ିଶାରେ ପ୍ରଥମଥର ପାଇଁ ଚିତ୍ରକଳାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କଳାମେଳା-୨୦୨୨ ଆୟୋଜନ କରାଯାଇଛି । ଏହା ଜୁନ୍‌ମାସ ୩ ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ।

ଚିତ୍ର, ଭାସ୍କର୍ଯ୍ୟ ଓ କ୍ରାଫଟର ଏକ ସଂଗମ ମାଧ୍ୟମରେ କଳାମେଳାର ସୁନ୍ଦରତା ବୃଦ୍ଧିପାଇଁ ଛୋଟପିଲାମାନଙ୍କ ନିମନ୍ତେ ସେଲଫି ପଏଣ୍ଟ, ମହିଳାମାନଙ୍କ ପାଇଁ ମେହେନ୍ଦୀ ଓ ବିଭିନ୍ନ ବ୍ୟକ୍ତି ନିଜର ଲାଇଫ ଚିତ୍ର ଅଙ୍କନ କରିବାର ପ୍ରୟାସ କରାଯାଇଛି । ସାଧାରଣ ଚିତ୍ରଗୁଡ଼ିକର ମୂଲ୍ୟ ଅଧିକ ବୋଲି ଧାରଣା ରହିଥିବାରୁ ଚିତ୍ର ଓ ଭାସ୍କର୍ଯ୍ୟ କ୍ରୟ କରିବାକୁ ଜନସାଧାରଣ ପସନ୍ଦ କରି ନଥାନ୍ତି । ମାତ୍ର କଳାମେଳାରେ ସ୍ୱଳ୍ପ ମୂଲ୍ୟରୁ ବହୁ ମୂଲ୍ୟ କଳାକୃତି କ୍ରୟ କରିବାର ଯୋଜନା କରାଯାଇଛି । ଏହାଦ୍ୱାରା ଛାତ୍ର ଓ ଛାତ୍ରୀମାନଙ୍କର କଳାକୃତି ଲୋକମାନଙ୍କ ନିକଟରେ ପହଁଚାଇବାର ମାଧ୍ୟମରେ ବା ସଂଗେ ସଂଗେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କଳାକୃତିର ବିକ୍ରୟ ହୋଇପାରିବ ।

ଆଜିଠାରୁ ଜୁନ୍‌ ୫ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଚିତ୍ରକଳା କର୍ମଶାଳା ବିଦ୍ୟାଳୟ ମହାବିଦ୍ୟାଳୟ ଓ ଗୃହିଣୀମାନଙ୍କ ପାଇଁ ଆୟୋଜନ କରାଯାଉଛି । କର୍ମଶାଳାରେ ଜଳରଙ୍ଗ ଚିତ୍ର, ମେହେନ୍ଦୀ, ଫୁଲ ତିଆରି, ପଟ୍ଟଚିତ୍ର କ୍ରାଫ୍‌, ଟେରାକୋଟା ଇତ୍ୟାଦି ଶିକ୍ଷାଦାନ ପ୍ରତିଦିନ ସକାଳ ୭ଘଟିକାରୁ ୯ଘଟିକା ପର୍ଯ୍ୟନ୍ତ ଦିଆଯିବ । ଚିତ୍ରକଳାପ୍ରତି ଆଗ୍ରହୀ କଳାପ୍ରେମୀ କର୍ମଶାଳାରେ ଯୋଗ ଦେଇପାରିବେ । ଆଲୁମିନି କଳାକ୍ଷେତ୍ରର ସଭ୍ୟମାନଙ୍କ ଦ୍ୱାରା ଚିତ୍ର, ଭାସ୍କର୍ଯ୍ୟ ଓ ମୁଦ୍ରଣ କଳାର କର୍ମଶାଳା ଆୟୋଜନ କରାଯାଉଛି ।

ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ କୋଭିଡ୍‌ର ୨ବର୍ଷ ପରେ ୩ଦିନ ଧରି କଳାମେଳା ମାଧ୍ୟମରେ ଚିତ୍ର, ଭାସ୍କର୍ଯ୍ୟ ଓ କ୍ରାଫଟକୁ ଜନସାଧାରଣଙ୍କ ନିକଟରେ ପହଁଚାଇବାର ମାଧ୍ୟମ ଭାବରେ ପ୍ରୟାସ କରୁଛି ବୋଲି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି ।