FeaturedGeneralLatestPolitics

ବଢିଲା ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ (ସଂକେତ ଟିଭି) : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ କୋର୍ଟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ସ୍ୱତନ୍ତ୍ର ଜଜ୍ (ପିସି ଆକ୍ଟ) କାଭେରୀ ବାୱେଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ଭିଡିଓ କନଫରେନ୍ସ ଯୋଗେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅଦାଲତରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ତାଙ୍କର ନ୍ୟାୟିକ ହେପାଜତ ଅବଧି ପୂରଣ ହୋଇଛି।

ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ମୁଖ୍ୟ ଷଡଯନ୍ତ୍ରକାରୀ। ଗିରଫଦାରୀରୁ ବର୍ତ୍ତିବା ପାଇଁ ଦିଲ୍ଲୀ ହାଇକୋର୍ଟ ଠାରେ ଅରବିନ୍ଦ କେଜ୍ରିୱାଲ ଏକ ଆବେଦନ କରିଥିଲେ । ଯେଉଁଥିରେ ସେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପାଇଁ ନିବେଦନ କରିଥିଲେ। ମାତ୍ର ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରିବାର କିଛି ଘଣ୍ଟା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡ଼ି ଗିରଫ କରିଥିଲା।

ଗିରଫ କରିବା ପରେ ମାର୍ଚ୍ଚ ୨୨ ତାରିଖରେ ସ୍ୱତନ୍ତ୍ର ଜଜ୍ (ପିସି ଆକ୍ଟ) କାଭେରୀ ବାୱେଜାଙ୍କ ଅଦାଲତରେ ଇଡ଼ି ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର କରିଥିଲା । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ କୋର୍ଟ ଇଡି ହେପାଜତକୁ ପଠାଇଥିଲେ । ହାଜତ ମିଆଦୀ ଅବଧି ପୂରଣ ହେବା ପରେ ପୁନଃର୍ବାର ତାଙ୍କ ଇଡି଼ ହେପାଜତ ଅବଧିକୁ ଆଗକୁ ଆହୁରି ବୃଦ୍ଧି କରାଯାଇଥିଲା। ଶେଷରେ ଅପ୍ରେଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।

୨୦୨୧-୨୨ ବର୍ଷ ପାଇଁ ଅବକାରୀ ନୀତିରେ ହୋଇଥିବା ଅନିୟମିତତା ସମ୍ପର୍କରେ ୨୦୨୨ ଅଗଷ୍ଟ ୧୭ ତାରିଖରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଯାହା ପରେ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି଼ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ପକ୍ଷରୁ ୨୦୨୨ ଜୁଲାଇ ୨୦ ତାରିଖରେ କରାଯାଇଥିବା ଅଭିଯୋଗ ଉପରେ ସିବିଆଇ ଏହି ମାମଲା ରୁଜୁ କରିଥିଲା।