FeaturedLatestNewsPolitics

ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ, ସିଇଓଙ୍କୁ ଅଭିଯୋଗ କଲା ବିଜେଡି

ଭୁବନେଶ୍ବର (ସଂକେତ ଟିଭି) ବିଜେପିର ଏକ ନିର୍ବାଚନୀ ସଭାରେ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ନେଇ ବିଜେଡି ଅଭିଯୋଗ ଆଣିଛି । ଏନେଇ ବିଜେଡି ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ବିଜେଡିର ଏକ ପ୍ରତିନିଧି ଦଳ ଆଜି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ନିର୍ବାଚନୀ ସଭାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହୋଇଥିବା ଅଭିଯୋଗ ଆଣିଛନ୍ତି । ଏହି ଟିମରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ପ୍ରମୁଖ ରହିଥିଲେ ।

ବିଜେଡିର ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ବିଜେପିର ଏକ ନିର୍ବାଚନୀ ସଭାରେ ରେଳବାଇ ବିଭାଗର ତିନି ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଯାହାକି ଆଚରଣ ବିଧିର ଉଲ୍ଲଘଂନ ବୋଲି ଅଭିଯୋଗ ଆଣି ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଇଓଙ୍କ ନିକଟରେ ଦାବି କରିଛନ୍ତି ।

ଏନେଇ ସସ୍ମିତ ପାତ୍ର କହିଛନ୍ତି, ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲୁ । ଦୁଇ ଦିନ ତଳେ ଟାଙ୍ଗୀ ବ୍ଲକ ବଡପୋଖରିଆ ଗାଁରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ସେଠାରେ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ରହିଥିଲେ । ଏହି ସଭାରେ ରେଳବାଇ ବିଭାଗର ତିନି ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତି ରହିଥିବାର ଦେଖିବାକୁ ମିଳିଥିଲା । ସମ୍ପୃକ୍ତ ଅଫିସରମାନେ ହେଲେ ଖୋର୍ଦ୍ଧା ଡିଭିଜନର ଟିଟିଆଇ ପ୍ରଭାକର ବରାଳ, ଏସ୍ ଆର ପଟ୍ଟନାୟକ ଓ ଆଇଓଡବ୍ଲୁ ବିବି ମହାନ୍ତି ।