LatestNewsPolitics

 ୧୫ ସୁଦ୍ଧା ଆସିପାରେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ତାଲିକା : ଶରତ ପଟ୍ଟନାୟକ

ଭୁବନେଶ୍ବର (ସଂକେତ ଟିଭି) : ଆସନ୍ତା ୧୫ ତାରିଖ ସୁଦ୍ଧା ଆସିପାରେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ୍‌ । ପିସିସି ସଭାପତି ଶରତ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି । ଶୁକ୍ରବାର ସେ ଦିଲ୍ଲୀ ଗସ୍ତ କରିଛନ୍ତି। ଶନିବାର ସ୍କ୍ରିନିଂ ଏବଂ ରବିବାର ସିଇସି ବୈଠକରେ ଟିକେଟ୍‌ ନେଇ ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି।

ଶରତ ପଟ୍ଟନାୟକ କହିଛନ୍ତି ସବୁ ସ୍ଥାନରେ କଂଗ୍ରେସ ଟକ୍କର ଦେଲାଭଳି ପ୍ରାର୍ଥୀ ଦେଉଛି । ଯାହା ଦ୍ୱାରା ଦଳକୁ ଫାଇଦା ମିଳିବ । ଓଡ଼ିଶାବାସୀ ପରିବର୍ତନ ଚାହୁଛନ୍ତି । ଏଥର ୯ରୁ ୯୦ ମିଶନ ସଫଳ ହେବ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ପୂର୍ବରୁ କଂଗ୍ରେସର ପ୍ରଥମ ଲୋକ ସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ବରଗଡ଼ରୁ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି। ସେହିପରି କୋରାପୁଟରୁ ସପ୍ତଗିରି ଉଲ୍ଲାକା, ବ୍ରହ୍ମପୁରରୁ ରଶ୍ମୀରଞ୍ଜନ ପଟ୍ଟନାୟକ, କନ୍ଧମାଳରୁ ଅମିର ଚାନ୍ଦ ନାୟକ, ନବରଙ୍ଗପୁରରୁ ଭୁଜବଳ ମାଝୀଙ୍କୁ ଟିକେଟ୍‌ ମିଳିଛି।

ଅନ୍ୟପଟେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନୂଆପଡ଼ାରୁ ଟିକେଟ୍‌ ମିଳିଛି। ସେହିପରି କବିସୂର୍ଯ୍ୟନଗରରୁ ଚିରଞ୍ଜିବୀ ବିଷୋୟୀ, ଗୁଣପୁରରୁ ସତ୍ୟଜିତ ଗମାଙ୍ଗ, ରାଉଲକେଲାରୁ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି।