BusinessLatest

ଖାଦ୍ୟ ବିଲ୍ ଉପରେ ସେବା ଶୁଳ୍କ ଆଦାୟ ମନା

ନୂଆଦିଲ୍ଲୀ (ସଂକେତ ଟିଭି): କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ୱତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ କରିବା ସଂକ୍ରାନ୍ତରେ ଅନୁଚିତ ବ୍ୟବସାୟିକ କାର୍ଯ୍ୟ ପଦ୍ଧତି ଏବଂ ଉପଭୋକ୍ତା ଅଧିକାର ଉଲ୍ଲଙ୍ଘନ ରୋକିବାକୁ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

କୌଣସି ଅନ୍ୟ ଶୁଳ୍କ ନାଁରେ ମଧ୍ୟ ସେବା ଶୁଳ୍କ ଆଦାୟ କରାଯାଇ ପାରିବ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି । କୌଣସି ହୋଟେଲ କିମ୍ବା ରେସ୍ତୋରାଁ ଉପଭୋକ୍ତାଙ୍କୁ ସେବା ଶୁଳ୍କ ପଇଠ କରିବା ଲାଗି ବାଧ୍ୟ କରିବେ ନାହିଁ । ସେବା ଶୁଳ୍କ ଇଚ୍ଛାଧୀନ, ବିକଳ୍ପ ଏବଂ ଉପଭୋକ୍ତାଙ୍କ ଅଧିକାରଭୁକ୍ତ ବୋଲି ଉପଭୋକ୍ତାଙ୍କୁ ସ୍ପଷ୍ଟ ଭାବେ
କୁହାଯିବ । ସେବା ଶୁଳ୍କ ସଂଗ୍ରହ ଅ ।ଧାରରେ ସେବାର ପ୍ରଦାନ ଏବଂ ବ୍ୟବସ୍ଥା କରିବା ଉପରେ କୌଣସି ପ୍ରତିବନ୍ଧ ଲାଗୁ କରାଯିବ ନାହିଁ । ସେବା ଶୁଳ୍କକୁ ଖାଦ୍ୟ ବିଲ ସହ ମିଶାଇ ଏବଂ ମୋଟ ଅର୍ଥରାଶି ଉପରେ ଜିଏସଟି ଲାଗୁ କରି ଏକତ୍ରିତ କରାଯିବ ନାହିଁ ।

କୌଣସି ହୋଟେଲ କିମ୍ବା ରେସ୍ତୋରାଁ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରୁଥିବା ଉପଭୋକ୍ତା ଦେଖିଲେ, ସମ୍ପୃକ୍ତ ହୋଟେଲ କିମ୍ବା ରେସ୍ତୋରାଁକୁ ବିଲ ପରିମାଣରୁ ସେବା ଶୁଳ୍କ ବାଦ୍ ଦେବାକୁ ଅନୁରୋଧ କରିାରିବେ । ଏଥିସହିତ ଉପଭୋକ୍ତା ଜାତୀୟ ହେଲଲାଇନ (ଏନସିଏଚ)ରେ ୧୯୧୫କୁ କଲ କରିପାରିବେ କିମ୍ବା ଏନସିଏଚ୍ ମୋବାଇଲ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ । ମାମଲା ପୂର୍ବରୁ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବେ ଏହା କାମ କରିଥାଏ ।