EntertainmentFeaturedLatest

କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ପପୁ ପମ୍‌ପମ୍‌

ଭୁବନେଶ୍ୱର: (ସଂକେତ୍ ଟିଭି) ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ ନିର୍ଦୋଶରେ ଖଲାସ ହୋଇଛନ୍ତି । ସ୍ୱତନ୍ତ୍ର ପକ୍ସୋ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ୨୦୧୬ରେ ଜଣେ ନାବାଳିକାଙ୍କୁ ଫିଲ୍ମରେ ରୋଲ୍‌ ଦେବାକୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା ।

ସେହି ବର୍ଷ ଜୁଲାଇ ୧ ତାରିଖରେ ପକ୍ସୋ କୋର୍ଟରେ ପପୁଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଥିଲା। ଆଇପିସିର ଧାରା ୩୪୧, ୩୨୩ ଏବଂ ୩୫୪ ଏବଂ ସେକ୍ସନ୍ ୮ ଓ ୧୨ରେ ପକ୍ସୋ କୋର୍ଟରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ଫେରାର ହୋଇଯାଇଥିବା ପପୁ ପମ୍‌ପମ୍‌ଙ୍କ ସମେତ ତାଙ୍କ ସହଯୋଗୀ ଦୀପୁଙ୍କୁ ପୁରୀ ଜିଲ୍ଲା ନିମାପଡ଼ାରୁ ଗିରଫ କରିଥିଲା ପୁଲିସ୍‌। ଏହାପରେ ସେ ଜାମିନରେ ବାହାରିଥିଲେ ।

ଯାହାକୁ ଆଧାର କରି ପପୁଙ୍କୁ ସେତେବେଳେ ଗିରଫ କରିଥିଲା ପୋଲିସ । ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ ପକ୍ସୋ କୋର୍ଟରେ ଏହାର ଶୁଣାଣି ଚାଲିଥିଲା । ଦୀର୍ଘ ୬ ବର୍ଷ ପରେ ଏହି ମାମଲାରେ ପପୁ ପମପମ୍‌ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ପୀଡ଼ିତା ଜଣକ ନିଜ ଅଭିଯୋଗରୁ ଓହରି ଯାଇଥିବା ବେଳେ ସାକ୍ଷ୍ୟ ପ୍ରମାଣ ଅଭାବରୁ ପପୁଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ଜଣାଯାଇଛି ।

ଅନ୍ୟପଟେ ଫାଷ୍ଟଟ୍ରାକ କୋର୍ଟ କ୍ଲିନଚିଟ ଦେବାପରେ ମୁହଁ ଖୋଲିଛନ୍ତି ପପୁ ପମପମ୍ । ସେ କହିଛନ୍ତି, “ମିଡିଆରେ ବସି ଅନେକ ଲୋକ ଅନେକ କଥା କହିଲେ । ମୋ ଚରିତ୍ରକୁ ବଜାରରେ ନିଲାମ କରାଗଲା । ୬ ବର୍ଷକାଳ ମୁଁ ଅନେକ ଶାରୀରିକ ଓ ମାନସିକ ଯାତନା ପାଇଛି । ତେବେ ନାବାଳିକା ଜଣକ ମୋ ନାଁରେ ସିଧା ଅଭିଯୋଗ କରିନାହାନ୍ତି । ନାବାଳିକାଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନିଆଗଲା । ଯାହା ଏବେ ସେଇ ସବୁ କଥା ନାବାଳିକା କହିଛନ୍ତି । ସଫଳତା ପରେ ଅନେକ ଶତୃ ସୃଷ୍ଟି ହୁଅନ୍ତି । ଆଉ ମୋ ସହ ସେଇଆ ହେଲା । ମୋର କିନ୍ତୁ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଥିଲା । ଆଉ ଆଜି ସତ୍ୟର ଜୟ ହୋଇଛି ।

“ସେ ଆହୁରି କହିଛନ୍ତି “ଖାଲି ସେତିକି ନୁହେଁ ସର୍ବୋପରି ମୁଁ ଦୃଢମନା ଥିଲି ଏବଂ ସିନେମା ଇଣ୍ଡଷ୍ଟ୍ରି ପରିବାର ଭଳି ମୋ ସହ ଥିଲେ । ଏହି ଘଟଣା ପରେ ମତେ ଅନେକ ସଫଳତା ମିଳିଛି ଆଉ ମୁଁ ଅନେକ କାମ ପାଇଛି । ମୁଁ ଏବେ ବି ଦୃଢମନା ଅଛି । ଅନେକ ପ୍ରତିବନ୍ଧକ ଭିତରେ ମୁଁ ଆଗକୁ ବଢିଛି ଏବଂ ଆଗକୁ ଅନେକ ଭଲ କାମ କରିବି । ଅଭିଯୋଗକାରୀ ଓ ଷଡଯନ୍ତ୍ରକାରୀଙ୍କ ବିରୋଧରେ ୭ ଦିନ ଭିତରେ ମାନହାନି ମୋକଦ୍ଦମା କରିବି” ବୋଲି ପପୁ କହିଛନ୍ତି ।