CulturalLatest

୧୨୦ ବର୍ଷ ପରେ ସୂର୍ଯ୍ୟ ମନ୍ଦିରରୁ କଢ଼ା ହେବ ବାଲି

ଭୁବନେଶ୍ବର : (ସଂକେତ୍ ଟିଭି) ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନର ସଂରକ୍ଷଣ କରିବା ପାଇଁ ଗର୍ଭଗୃହରୁ ବାଲି କଢା ଯିବ । ଏଦୁଇ ତିନି ମାସ ମଧ୍ୟରେ ବାଲି କାଢିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି ।

ଖବରରୁ ପ୍ରକାଶ ଯେ ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିର ଜଗମୋହନର ସୁରକ୍ଷା ଓ ଲୁଣା ପବନ ଦାଉରୁ ମନ୍ଦିରର ସୁରକ୍ଷା ନିମନ୍ତେ ଗର୍ଭଗୃହ ସମେତ ୩ଗୋଟି ଦ୍ୱାରକୁ ବାଲି ଦ୍ୱାରା ବନ୍ଦ କରିଥିଲେ। ଏହି ଜଗମୋହନର ଗର୍ଭଗୃହ ସମେତ ତିନି ଦ୍ୱାରରୁ ବାଲି କାଢି ସଂରକ୍ଷଣ କରିବା ପାଇଁ ବିଭିନ୍ନ ସମୟରେ ବିଶ୍‌ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ବଡବଡ ବିଶେଷଜ୍ଞ ମାନଙ୍କୁ ନେଇ ଆଲୋଚନା ଚକ୍ର ଓ କର୍ମଶାଳା ମାନ ଅନୁଷ୍ଠିତ ହୋଇଥିଲା। ମାତ୍ର ଏହି ବିଶେଷଜ୍ଞ କମିଟି ରିପୋର୍ଟକୁ ବିଭିନ୍ନ ସମୟରେ ଏଏସଆଇ କତୃପକ୍ଷ ଅଣଦେଖା କରି ଆସୁଥିଲା ବେଳେ ସାମ୍ପ୍ରତିକ ସମୟରେ ସୂର୍ଯ୍ୟ ମନ୍ଦିରର ଜଗମୋହନ ପ୍ରତି ବିପଦ ସୃଷ୍ଟି ଆଶଙ୍କା ବ୍ୟକ୍ତ କରି ଏହାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଉତ୍କୁକତା ପ୍ରକାଶ କରିଛି।

ସୂର୍ଯ୍ୟ ମନ୍ଦିରର ଜଗମୋହନର ସୁରକ୍ଷା ପାଇଁ ଦୀର୍ଘ ୧୨୦ବର୍ଷ ତଳେ ବ୍ରିଟିଶ ସରକାର ଭର୍ତ୍ତି କରିଥିବା ବାଲି କାଢିବା ସହ ଏହାର ଉପଯୁକ୍ତ ସଂରକ୍ଷଣ କରିବା ପାଇଁ ଏଏସଆଇ ପକ୍ଷରୁ ଗୁରୁବାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଭୂମିପୂଜନ କାର୍ଯ୍ୟକ୍ରମ ଶେଷ ହେବା ପରେ ଏଏସଆଇ ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ମନ୍ଦିରର କିଭଳି ସୁରକ୍ଷିତ ଭାବେ ବାଲି କଢାଯାଇ ପାରିବ ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ସହ ଦୁଇ ତିନି ମାସ ମଧ୍ୟରେ ବାଲି କାଢିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଏଏସଆଇ ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

ସୂର୍ଯ୍ୟ ମନ୍ଦିରର ଜଗମୋହନର ସୁରକ୍ଷା ଓ ସଂରକ୍ଷଣ କରିବା ପଶ୍ଚିମ ପଟ ଦ୍ୱାରରେ ଗାତ ସୃଷ୍ଟି କରାଯାଇ ମନ୍ଦିର ଗର୍ଭଗୃହ ସମେତ ତିନିଗୋଟି ଦ୍ୱାରରୁ ବାଲି କାଢିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଶ୍ରୀ ମଲ୍ଲିକ ଏହି ଅବସରରେ ପ୍ରକାଶ କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ କଳା ଓ ସଂସ୍କୃତି ବିଶ୍ୱରେ ଅନନ୍ୟ। ଏହି ଐତିହ୍ୟ ସଂପନ୍ନ ମନ୍ଦିରର ଜଗମୋହନର ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ କରାଯାଇ ଏହାକୁ ବିଶ୍ୱ ଦରବାରରେ ଉଜ୍ଜୀବିତ ରଖିବା ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ସୁପରିଟେଣ୍ଡେଣ୍ଟ ଡଃ ଅରୁଣ କୁମାର ମଲ୍ଲିକ ଭୂମିପୂଜନ କାର୍ଯ୍ୟକ୍ରମ ଅବସରରେ ମତବ୍ୟକ୍ତ କରିଛନ୍ତି।