CulturalLatest

ଚା’ ପିଇବା ଦ୍ୱାରା ହ୍ରାସ ପାଏ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ : (ସଂକେତ୍ ଟିଭି) କଫି ପରିବର୍ତ୍ତେ ଆପଣ ଚା ପିଇବାକୁ ପସନ୍ଦ କରନ୍ତି କି? ଏହି ଗରମ ପାନୀୟ ସଂପର୍କରେ ଏକ ନୂଆ ସର୍ଭେ ରିପୋର୍ଟ ହସ୍ତଗତ ହୋଇଛି । ସର୍ଭେ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କଫି ତୁଳନାରେ ଚା ପିଇବା ଭଲ । ଚା ପିଇବା ଦ୍ୱାରା ମୃତ୍ୟୁ ଆଶଙ୍କା ହ୍ରାସ ପାଇଥାଏ ।

ଏ ନେଇ ନିକଟରେ ଇଂଲଣ୍ଡର ଗବେଷକମାନେ ଏକ ଗବେଷଣା କରିଥିଲେ । ଗବେଷଣାରୁ ଜାଣିବାକୁ ମିଳିଛି ଯେ ଚା ପିଉନଥିବା ଲୋକଙ୍କ ମଧ୍ୟରେ ୧୩ ପ୍ରତିଶତ ମୃତ୍ୟୁ ଆଶଙ୍କା ରହିଥିବା ବେଳେ ଦିନକୁ ୨-୩ କପ୍ ଚା ପିଉଥିବା ଲୋକଙ୍କ କ୍ଷେତ୍ରରେ ୯ ପ୍ରତିଶତ ମୃତ୍ୟୁ ସମ୍ଭାବନା ଥାଏ । ଏହି ଗବଷେଣା କରିଥିଲେ ନେସ୍‌ନାଲ୍ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷକମାନେ ।

ପୂର୍ବରୁ ହୋଇଥିବା ଗବେଷଣାକୁଡ଼ିକୁ ଦେଖିଲେ ଗ୍ରୀନ୍ ଟି ଶରୀର ପାଇଁ ବେଶି ଲାଭଦାୟକ । ଅଧିକ ଚା ପିଉଥିବା ଲୋକଙ୍କ କ୍ଷେତ୍ରରେ ହୃଦ୍‌ରୋଗ ଓ ଷ୍ଟ୍ରୋକ୍ ଆଦି ସମସ୍ୟା ବି ହ୍ରାସ ପାଇଥାଏ । ନିକଟରେ ହୋଇଥିବା ଏହି ଗବେଷଣାରେ ୪୦ରୁ ୬୭ ବର୍ଷ ବୟସ ମଧ୍ୟରେ ୪,୯୮,୦୪୩ ଜଣଙ୍କୁ ସାମିଲ୍ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮୯ ପ୍ରତିଶତ ନାଲି ଚା’ ପିଉଥିବା ଜାଣିବାକୁ ମିଳିଛି ।

ଆପଣ ନିଜର ସୁସ୍ଥକର ଡାଏଟ୍ ତାଲିକାରେ ବି ଚା’କୁ ସାମିଲ୍‌ କରିପାରିବେ ବୋଲି ଗବେଷକମାନେ ମତ ବ୍ୟକ୍ତ କରିଛନ୍ତି । ନେସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହେଲ୍‌ଥ(ଏନ୍‌ଆଇଏଚ୍‌) ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚା’ର ତାପମାତ୍ରାରୁ ନେଇ ଚିନି ଓ ପତିର ପରିମାଣରୁ ବି ଗୁଣରେ ପାର୍ଥକ୍ୟ ଦେଖିବାକୁ ମିଳିଛି ।