EducationFeaturedLatest

ୟୁକ୍ରେନ ଫେରନ୍ତା ଛାତ୍ର-ଛାତ୍ରୀଙ୍କୁ ଭାରତରେ ଆଡମିଶନ ଦିଆଯାଇପାରିବ ନାହିଁ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ୟୁକ୍ରେନରୁ ଫେରନ୍ତା ଡାକ୍ତରୀ ଛାତ୍ର-ଛାତ୍ରୀଙ୍କୁ ଭାରତୀୟ ବିଶ୍ଵ ବିଦ୍ୟାଳୟରେ ଆଡମିଶନର ସୁଯୋଗ ଦିଆଯାଇ ପାରିବ ନାହିଁ। ଛାତ୍ରମାନେ ୟୁକ୍ରେନରେ ନିଜର କଲେଜରୁ ଅନୁମତି ନେଇ ଅନ୍ୟ ଦେଶର ବିଶ୍ଵ ବିଦ୍ୟାଳୟକୁ ଟ୍ରାନ୍ସଫର କରିବାର ବିକଳ୍ପ ଚୟନ କରି ପାରିବେ। କେନ୍ଦ୍ର ସରକାର ଏ ସଂପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟକୁ ଏହା କହିଛନ୍ତି ।

କେନ୍ଦ୍ର ସରକାର କହିଛନ୍ତି, ଖରାପ ନିଟ୍ ସ୍କୋର କିମ୍ବା ଶସ୍ତା ଫି କାରଣରୁ ଛାତ୍ର-ଛାତ୍ରୀମାନେ ୟୁକ୍ରେନରେ ମେଡିକାଲ କଲେଜର ଚୟନ କରିଥିଲେ। ଯଦି କମ୍ ନିଟ୍ ସ୍କୋର କରିଥିବା ଛାତ୍ର-ଛାତ୍ରୀଙ୍କୁ ଭାରତରେ ବିଶ୍ଵ ବିଦ୍ୟାଳୟଗୁଡିକରେ ସିଟ୍ ଦିଆଯାଏ ତେବେ ପୂର୍ବରୁ ପଢୁଥିବା ଛାତ୍ର-ଛାତ୍ରୀମାନେ ଆପତ୍ତି କରି ପାରନ୍ତି। କମ୍ ନିଟ୍ ସ୍କୋର ଥିବା ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର- ଛାତ୍ରୀଙ୍କୁ ଭାରତୀୟ କଲେଜଗୁଡିକରେ ନାମ ଲେଖା ପାଇଁ ସୁଯୋଗ ଦେବା ଦେଶର ଡାକ୍ତରୀ ଶିକ୍ଷା ମାନଦଣ୍ଡକୁ ପ୍ରଭାବିତ କରିବ।

କୋର୍ଟରେ ଦେଇଥିବା ନିଜର ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି, କମନ୍ ନିଟ୍ ପରୀକ୍ଷା ୨୦୧୮ରୁ ଆୟୋଜିତ କରାଯାଉଛି। ଏଥିରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖୁଥିବା ଛାତ୍ର-ଛାତ୍ରୀ ଭାରତୀୟ ମେଡିକାଲ୍ କଲେଜଗୁଡିକରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ହେଲେ ଅନେକ ଛାତ୍ର ନିଟ୍ ପରୀକ୍ଷାରେ ଖରାପ ସ୍କୋର କିମ୍ବା ଶସ୍ତା ଫି କାରଣରୁ ୟୁକ୍ରେନର ବିଶ୍ଵ ବିଦ୍ୟାଳୟର ଚୟନ କରିଥିଲେ। ଏବେ ସେମାନଙ୍କୁ ଭାରତୀୟ ବିଶ୍ଵ ବିଦ୍ୟାଳୟରେ ସିଟ୍ ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।