CulturalFeaturedLatest

କୋଟିପତି କରିଦେଇପାରେ ଏଇ ଦୁର୍ଲଭ ଗ୍ରହାଣୁ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ମଙ୍ଗଳ ଓ ବୃହଷ୍ପତି ଗ୍ରହ ମଧ୍ୟରେ ଥିବା ‘୧୬ ସାଇକ୍‌’ ନାମରେ ଗୋଟାଏ ପ୍ରକାଣ୍ଡ ଧାତବ ଗ୍ରହାଣୁ ବିଶ୍ୱର ପ୍ରତ୍ୟେକ ଲୋକଙ୍କୁ କୋଟିପତି କରିଦେଇ ପାରେ ବୋଲି ‘ଫୋର୍ବସ୍‌’ ପତ୍ରିକାରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।

ସୂଚନା ଅନୁସାରେ, ଦାମୀ ଧାତୁରେ ସମୃଦ୍ଧ ଏହି ଗ୍ରହାଣୁଟିକୁ ଯଦି ଭାଗ ଭାଗ କରି ପୃଥିବୀର ସମସ୍ତ ଲୋକଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଏ, ତେବେ ସଭିଏଁ ଜଣେ ଜଣେ ‘ବିଲିୟନେୟାର୍‌’ ହୋଇଯିବେ । ‘ଫୋର୍ବସ୍‌’ ରିପୋର୍ଟ ଅନୁସାରେ, ୨୨୬ କିଲୋମିଟର ଓସାରବିଶିଷ୍ଟ ଗ୍ରହାଣୁ ‘୧୬ ସାଇକ୍‌’ରେ ୧୦,୦୦୦ ଡଲାର୍ କ୍ୱାଡ୍ରିଲିୟନ୍ ଡଲାର୍‌ ମୂଲ୍ୟର ଲେହପିଣ୍ଡ, ନିକେଲ୍ ଏବଂ ସ୍ୱର୍ଣ୍ଣ ରହିଛି ।

ପୃଥିବୀର ଉପାଦାନ ଓ ତା’ର ଉପାଦାନଗୁଡ଼ିକରେ ବିଶେଷ ସାମଞ୍ଜସ୍ୟ ଅଛି କି, ନାହିଁ ଜାଣିବା ଲାଗି ବୈଜ୍ଞାନିକମାନେ ସେ ଗ୍ରହାଣୁ ଉପରେ ଗବେଷଣା ଚଳାଇଛନ୍ତି । ଧାତୁ-ସମୃଦ୍ଧ ଏହି ଗ୍ରହାଣୁ ଉପରେ ଗବେଷଣା ନିମନ୍ତେ ଚଳିତ ବର୍ଷ ‘ନାସା’ ‘ସାଇକ୍ ମିସନ୍‌’ ଅଭିଯାନ ଯୋଜନା କରିଛି । ୧୮୫୨ ମସିହା ମାର୍ଚ ୧୭ ତାରିଖ ଦିନ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଆନ୍ନିବେଲ୍ ଡି ଗାସ୍‌ପାରିସ୍ ‘ସାଇକ୍‌’କୁ ଆବିଷ୍କାର କରିଥିଲେ । ଗ୍ରୀକ୍‌ ପୁରାଣରେ ଆତ୍ମାର ଦେବୀ ‘ସାଇକ୍‌’ଙ୍କ ନାମାନୁସାରେ ସେ ଏହି ଗ୍ରହାଣୁର ନାମକରଣ କରିଥିଲେ ।