LatestSports

ଯୁବରାଜଙ୍କ ସଂଘର୍ଷର କାହାଣୀ ଲୋକଲୋଚନକୁ ଆଣିଛନ୍ତି ହରଭଜନ

ମୁମ୍ବାଇ : (ସଂକେତ୍ ଟିଭି) ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂଙ୍କୁ କିଏ ବା ନ ଜାଣିଛି । କିନ୍ତୁ ବିଶ୍ୱକପ ବିଜୟ ପଛର ଯେଉଁ ସଂଘର୍ଷ ରହିଛି ତାହା କେବଳ ସାଥୀ ଖେଳାଳୀ ହିଁ ଜାଣିଛନ୍ତି । ବିଶ୍ୱକପ ବିଜୟର ଦୀର୍ଘ ୧୨ ବର୍ଷ ପରେ ଯୁବରାଜଙ୍କୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା କ୍ରିକେଟପ୍ରେମୀଙ୍କୁ କେବଳ କନ୍ଦାଇବନି ବରଂ ଯୁବରାଜଙ୍କ ପ୍ରତି ଥିବା ସମ୍ମାନକୁ ଦ୍ୱିଗୁଣିତ କରିବ । ୧୨ ବର୍ଷ ପୂର୍ବେ ଯୁବରାଜ ଜୀବନର କେଉଁ ମୋଡ ଦେଇ ଗତି କରୁଥିଲେ ତାହା ଲୋକଲୋଚନକୁ ଆଣିଛନ୍ତି ସାଥୀ ଖେଳାଳୀ ହରଭଜନ ସିଂ ।

ହରଭଜନ କହିଛନ୍ତି, ବିଶ୍ୱକପରେ ଯୁବରାଜ ସିଂ ଅନେକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ପ୍ରତି ମ୍ୟାଚରେ ବିଜୟ ସହ ଦଳ ବିଶ୍ୱକପ ବିଜ । ଆଡକୁ ପାଦ ଆଗକୁ ବଢାଉଥିଲା । ଆଉ ପ୍ରତି ମ୍ୟାଚରେ ହିରୋ ସାଜି ଉଭା ହେଉଥିଲେ ଯୁବରାଜ ସିଂ । କିନ୍ତୁ ଯୁବରାଜଙ୍କୁ ମ୍ୟାଚ ସମୟରେ ବାରମ୍ବାର କାଶ ହେଉଥିଲା । ସେ ଅସୁସ୍ଥ ଥିଲେ ଏବଂ ମ୍ୟାଚ୍ ପୂର୍ବରୁ ଚିନ୍ତାରେ ରହୁଥିଲେ । ଖାସକରି ଯୁବରାଜ ବ୍ୟାଟିଂ କରୁଥିବା ବେଳେ ତାଙ୍କୁ କାଶ ହେଉଥିଲା । ଏମିତିକି ମ୍ୟାଚ ମଝିରେ ମଝିରେ ବାନ୍ତି ମଧ୍ୟ ହେଉଥିଲା । ମୁଁ ତାଙ୍କୁ ପଚାରିଥିଲି ଏତେ କାଶୁଛ କାହିଁକି? ବୋଲି ପଚାରିଥିଲି । ଏପରିକି ଯୁବରାଜ କାଶୁଥିବା ବେଳେ ଆମେ ତାକୁ ହସରେ ଉଡାଇ ଦେଉଥିଲୁ । କିନ୍ତୁ ଆମେ ଜାଣିନଥିଲୁ ଯେ, ଏହା କ୍ୟାନସରର ଲକ୍ଷଣ ବୋଲି । ଏଭଳି ସ୍ଥିତିରେ ବି ଯୁବରାଜ ବିଶ୍ୱକପ ଖେଳିଛନ୍ତି, ତେଣୁ ଚାମ୍ପିୟନ ଖେଳାଳୀଙ୍କୁ ସଲାମ ।

କେବଳ ଏତିକି ନୁହେଁ ହରଭଜନ କହିଛନ୍ତି, ଥରେ ନୁହେଁ ଭାରତକୁ ୨ ଥର ବିଶ୍ୱ ଚାମ୍ପିୟନ କରିବାରେ ଯୁବରାଜ ସାହାଯ୍ୟ କରିଛନ୍ତି । ଯଦି ୨୦୧୧ରେ ଯୁବରାଜ ସିଂ ଟିମରେ ନଥାନ୍ତେ ତେବେ ଭାରତ କେବେ ବି ବିଶ୍ୱକପ ଜିତି ପାରିନଥାନ୍ତା । କାରଣ ଯୁବରାଜ ହିଁ ଅନେକ ର୍ନିଣ୍ଣାୟକ ମ୍ୟାଚରେ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ କ୍ୱାର୍ଟରଫାଇନାଲ ମୁକାବିଲାରେ ଯୁବରାଜଙ୍କ ମ୍ୟାଚ୍ ବିଜୟୀ ଇନିଂସ ଏବେ ବି କ୍ରିକେଟପ୍ରେମୀ ମନେ ପକାନ୍ତି । ଯୁବରାଜଙ୍କ ଭଳି ଖେଳାଳୀ ନା ପୂର୍ବରୁ ଥିଲେ ନା ଏବେ ଅଛନ୍ତି । କେବଳ ୨୦୧୧ ବିଶ୍ୱକପ ନୁହେଁ ୨୦୦୭ ଟି-୨୦ ବିଶ୍ୱକପରେ ମଧ୍ୟ ଯୁବରାଜଙ୍କ ଜଲୱାରେ ଭାରତ ଚାମ୍ପିୟନ ହୋଇଥିଲା । ଏହି ଦୁଇଟି ବିଶ୍ୱକପରେ ଯୁବରାଜଙ୍କ ସାଥୀ ଖେଳାଳୀ ଭାବେ ହରଭଜନ ରହିଥିଲେ ।

ତେଣୁ ବିଶ୍ୱକପକୁ ନେଇ ଯୁବରାଜଙ୍କ ପରିଶ୍ରମକୁ ଅତି ପାଖରୁ ଦେଖିଥିଲେ ହରଭଜନ । ୨୦୧୧ ବିଶ୍ୱକପ ବିଜୟୀ ହେବା ପରେ ଯୁବରାଜ କ୍ୟାନସରରେ ପୀଡିତ ଥିବା ଜାଣିବାକୁ ପାଇଥିଲେ । କିନ୍ତୁ କ୍ୟାନସର ତାଙ୍କ ମନୋବଳ ଭାଙ୍ଗି ପାରିନଥିଲା । ବିଶ୍ୱକପରେ ପ୍ରତିନ୍ଦ୍ୱନ୍ଦୀଙ୍କୁ ମାତ ଦେବା ଭଳି କ୍ୟାନସରକୁ ମାତ ଦେବାରେ ସଫଳ ହୋଇଥିଲେ ଯୁବରାଜ । ଆଉ ଏହା ପଛରେ କ୍ରିକେଟପ୍ରେମୀଙ୍କ ଭଲପାଇବା ଓ ଆଶୀର୍ବାଦ ରହିଥିଲା ବୋଲି ଯୁବରାଜ ଅନେକ ସମୟରେ କହିଛନ୍ତି ।