CulturalFeaturedLatest

ରଘୁନାଥ ଜୀଉ ମଠର ହେଲା ନବକଳେବର : ପ୍ରତିଷ୍ଠା ହେଲେ ନୂତନ ବିଗ୍ରହ

ନୀଳଗିରି ୩୦/୭: (ସଂକେତ୍ ଟିଭି) ପ୍ରାଚୀନ କୀର୍ତ୍ତିଭରା ଐତିହାସିକ ରଘୁନାଥ ଜୀଉ ମଠର ଜରାଜୀର୍ଣ୍ଣ ଅବସ୍ଥାରେ ଗତି କରୁଥିବା ବେଳେ ଶହଶହ ଏକର ଜମି ଜବରଦଖଲ ରେ ରହିଛି। ମଠ ଓ ଜମିର ପୁନଃଉଦ୍ଧାର ପାଇଁ ତଥ୍ୟ ଭିତ୍ତିକ ଖବର ବାରମ୍ବାର ପ୍ରସାର ପରେ ଏବେ ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ବ ହୋଇଛି। ଦେବତ୍ତୋର କମିଶନର ନୂତନ କମିଟି ଗଠନ କରିବା ପରେ ଏହି କମିଟି ମଠଟିକୁ ନବକଳେବର କରିବା ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ରାଜବାଟି ର ଠିକ ସାମ୍ନାରେ ଅବସ୍ଥିତ ରଘୁନାଥଜୀଉ ମଠ।ରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଏହି ମଠକୁ ନିର୍ମାଣ କରିଥିଲେ।ଦୂର ଦୂରଦୁରାନ୍ତରୁ ପ୍ରଜା ମାନେ ରାଜା ଙ୍କୁ ଭେଟିବାକୁ ଆସୁଥିବା ବେଳେ କାମ ନସରିଲେ ଏହି ମଠରେ ରାତ୍ରୀ ଯାପନ କରୁଥିଲେ। ସେମାନଙ୍କ ପାଇଁ ଖାଇବାର ମଧ୍ୟ ବ୍ୟବସ୍ଥା ମଧ୍ୟ ରାଜା କରୁଥିଲେ। ଏପରିକି ଶାଳଗ୍ରାମ ,ହନୁମାନ,ରାମ ,ଲକ୍ଷ୍ମଣ ,ସୀତା ବିଗ୍ରହ ଭିତରେ ପୂଜା ପାଇ ଆସୁଥିଲେ। ପରବର୍ତ୍ତୀ ଅବସ୍ଥାରେ ମଠରେ ମହନ୍ତ ମଧ୍ୟ ରହୁଥିଲେ। ସେମାନଙ୍କ ପରଲୋକ ପରେ ତାଙ୍କର ଚେଲା ମହନ୍ତ ହୋଇ ମନ୍ଦିର ର ରକ୍ଷଣାବେକ୍ଷଣ ଓ ପୂଜା କରିଆସୁଥିଲେ।

ରଘୁନାଥଜୀଉ ମଠ (ମନ୍ଦିର) କୁ ପରେ ଦେବତ୍ତୋର ବିଭାଗକୁ ହସ୍ତାନର କରାଯିବା ପରେ ପରିଚାଳନା ପାଇଁ ଏକ କମିଟି ଗଠନ ହେବା ସହ ନିର୍ବାହୀ ଅଧିକାରୀ ରହିଥିଲେ। ୭୦୦ରୁ ଉର୍ଦ୍ଧ୍ବ ଏକର ଜମି ମଧ୍ୟ ମଠର ନାମରେ ଥିଲା। ହେଲେ ପରିଚାଳନାଗତ ତ୍ରୁଟି ପାଇଁ ଆଜି ଜମିର ହିସାବ ମିଳୁନାହିଁ। ପୁର୍ବରୁ ରାଜସ୍ଵ ବିଭାଗର ନୋଟିସର ଉତ୍ତର ନଦେବା କିମ୍ବା ଜମିର ଦାବି ଉପସ୍ଥାପନ ନକରିବା ପାଇଁ ଆଜି ଶହ ଶହ ଜମି ଜବରଦଖଲ ହୋଇ ରହିଛି।

ରକ୍ଷଣାବେକ୍ଷଣ ଅଭାବ ପାଇଁ ମଠଟି ଜରାଜୀର୍ଣ୍ଣ ଅବସ୍ଥାରେ ଗତି କରୁଥିଲା।ପୁରାତନ ଛାତ ଓ ପାଚେରୀ ଭୁଶୁଡିବା ଅବସ୍ଥାକୁ ଚାଲି ଯାଇଥିବା ବେଳେ ମହନ୍ତଙ୍କ ତିନୋଟି ସମାଧି ମଧ୍ୟ ଦରଭଙ୍ଗା ହୋଇ ସେଥିରେ ଗଛ ଉଠି ସରୀସୃପ ରହୁଥିଲେ। ଏପରିକି ପୂଜକ ସାପ କାମୁଡିବା ପରେ ଜୀବନ ସହିତ ସଂଗ୍ରାମ କରି ଭଲ ହୋଇ ଆସିଥିଲେ।

ବାରମ୍ବାର ମଠ ଓ ଜମିର ପୁନଃଉଦ୍ଧାର ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିବା ବେଳେ ନୂତନ କମିଟି ଗଠନ କରିବାକୁ ଦାବି ହୋଇ ଆସୁଥିଲା। ପରବର୍ତୀ ମୁହୂର୍ତ୍ତରେ ନୂତନ କମିଟି ଗଠନ ହେବା ପରେ ମଠଟିକୁ ପୁନଃ ଉଦ୍ଧାର ପାଇଁ ଅଣ୍ଟାଭିଡିଛନ୍ତି। ମନ୍ଦିର ଭିତରେ ମରାମତି ହେବା ତିନୋଟି ଭଗ୍ନ ସମାଧି ଭାଙ୍ଗି ମଠ ବାଡ଼ି ଭିତରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମାଧିରୁ ବାହାରିଥିବା ଇଟା ସେଠାରେ ଲଗାଯିବା ସହ ପୂଜା ପାଉଥିବା ପାଦୁକା ମଧ୍ୟ ସାଇତି ରଖାଯାଇଛି। ପାଚେରୀ,ମୁଖଦ୍ୱାର ମନ୍ଦିର ରଙ୍ଗ ହୋଇ ନବକଳେବର ହୋଇଛି। ଆଗରେ ପ୍ରଶସ୍ତ ଜଗାଥିବାରୁ ଦୋକାନ ଗୃହ ନିର୍ମାଣ ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି।

ମଠର ପୁନଃ ଉଦ୍ଧାର ପାଇଁ ବହୁ ବଦାନ୍ୟ ବ୍ୟକ୍ତି ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ପାହାଚରେ ଟାଇଲ ଲଗାଯାଇଥିବା ବେଳେ ରାମ, ଲକ୍ଷ୍ମଣ ଓ ସୀତାଙ୍କର ନୂତନ ବିଗ୍ରହ ମଧ୍ୟ ପ୍ରତିଷ୍ଠା ହୋଇଛି। ପୂଜକ ବିଜୟ କୁମାର ପଣ୍ଡା, ରବିନ୍ଦ୍ର ମହାପାତ୍ର, ରବିନାରାୟଣ ଆଚାର୍ଯ୍ୟ, ଅନ୍ତର୍ଯ୍ୟାମୀ ଷଡ଼ଙ୍ଗୀ ପ୍ରତିଷ୍ଠା ନୀତିପୂଜା ସମାପନ କରିଥିଲେ। ନୂତନ କମିଟିର ସଭାପତି ତଥା ନୀଳଗିରି ତହସିଲଦାର ଅଶେଷ ନାୟକ, କାର୍ଯ୍ୟକାରୀ ସଭାପତି ହରପ୍ରସାଦ ମର୍ଦ୍ଦରାଜ, ସଦସ୍ୟଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଜରାଜୀର୍ଣ୍ଣ ଅବସ୍ଥାରେ ଗତି କରୁଥିବା ଏହି ମଠଟି ନବକଳେବର ହୋଇ ପାରିଛି। ତେବେ ମଠର ଉନ୍ନତିକରଣ ସହ ଜମିର ପୁନଃ ଉଦ୍ଧାର କରିବାକୁ ରାଜ୍ୟସରକାର ଯତ୍ନବାନ ହେବା ଜରୁରୀ ବୋଲି ସାଧାରଣ ରେ ଦାବି ହୋଇଛି।