EntertainmentLatest

ଆକ୍ସନ୍ ଦେଖାଇବେ ସାରା, ଟାଇଗର

ମୁମ୍ବାଇ : (ସଂକେତ୍ ଟିଭି) ପୂଜା ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରଯୋଜିତ ବିଗ୍ ବଜେଟ୍ ଆକ୍ସନ୍ ଥ୍ରିଲର ଫିଲ୍ମରେ ମେଲ୍ ଲିଡ୍ ଭାବେ ନଜର ଆସିବେ ଟାଇଗର ଶ୍ରଫ୍ । ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିବେ ଜଗନ ଶକ୍ତି । ପ୍ରଯୋଜନା କରିବେ ଜ୍ୟାକି ଭାଗନାନି । ଭାରତ ସମେତ ୟୁରୋପରେ ଫିଲ୍ମର ଅଧିକାଂଶ ସୁଟିଂ ହେବ । ଏହାକୁ ବଡ଼ ଧରଣର ମିଶନ୍‌ ଆଧାରିତ ଫିଲ୍ମ ରୂପେ ପ୍ରସ୍ତୁତ କରିବାକୁ ଫିଲ୍ମମେକର ଯୋଜନା କରିଛନ୍ତି । ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ତେବେ ଏ ମାମଲାରେ ଏକ ବଡ଼ ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମମେକର ଏହି ଆକ୍ସନ୍ ଫିଲ୍ମ ପାଇଁ ମୁଖ୍ୟ ନାୟିକାଙ୍କ ନାମ ଚୟନ କରିସାରିଛନ୍ତି ।

ରିପୋର୍ଟ ଅନୁସାରେ, ଫିମେଲ୍ ଲିଡ୍ ଭୂମିକାରେ ନଜର ଆସିବେ ସାରା ଅଲି ଖାନ୍ । ସେ ଫିଲ୍ମ ସାଇନ୍ କରିସାରିଛନ୍ତି । ନିର୍ମାତା ଫ୍ରେଶ୍ ଯୋଡ଼ିଙ୍କୁ କାଷ୍ଟ୍ କରିବାକୁ ଚାହୁଁଥିଲେ । ଶେଷରେ ଟାଇଗର-ସାରାଙ୍କ ପାଖରେ ସେମାନଙ୍କ ଖୋଜା ଶେଷ ହୋଇଛି । ଆସନ୍ତା ଡିସେମ୍ବର ୧୦ ତାରିଖ ବେଳକୁ ଫିଲ୍ମଟି ସୁଟିଂ ଫ୍ଲୋରକୁ ଓହ୍ଲାଇବ । ତେବେ ଫିଲ୍ମର ଭିଲେନ୍ ଭୂମିକା ପାଇଁ କଳାକାର ଚୟନ ପ୍ରକ୍ରିୟା ଜାରି ରହିଛି । ଫିଲ୍ମମେକର ଟାଇଗରଙ୍କ ବିପକ୍ଷରେ ଜଣେ ଦମ୍‌ଦାର ନେଗେଟିଭ୍‌ ଚରିତ୍ରଙ୍କୁ ସାଇନ୍ କରିବେ । ଆସନ୍ତା ୭ ଦିନ ମଧ୍ୟରେ ଫିଲ୍ମର ଷ୍ଟାର ଚୟନ ଶେଷ ହେବ । ଏହି ଫିଲ୍ମ ଜରିଆରେ ଦର୍ଶକ ପ୍ରଥମ ଥର ଟାଇଗର-ସାରାଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇବେ ।

ଦୁଇ କଳାକାର ପ୍ରଥମ ଥର ଫିଲ୍ମ ଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ ଖୁବ୍ ଉତ୍ସାହିତ ଅଛନ୍ତି । ସାରା ଖୁବ୍‌ଶୀଘ୍ର ଭିକି କୌଶଲଙ୍କ ସହ ଲକ୍ଷ୍ମଣ ଉତେକରଙ୍କ ଫିଲ୍ମରେ ନଜର ଆସିବେ । ସାରାଙ୍କ ପାଖରେ ଏକାଧିକ ପ୍ରୋଜେକ୍ଟ ରହିଛି ।