EducationLatestNews

ଜେଏନୟୁରେ ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର ଅଧ୍ୟୟନ କେନ୍ଦ୍ର

ଭୁବନେଶ୍ବର (ସଂକେତ ଟିଭି): ଦିଲ୍ଲୀର ଜବାହରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଅଧ୍ୟୟନ କେନ୍ଦ୍ର ସ୍ଥାପନ କରାଯିବ। ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେବ। ଓଡ଼ିଆ ଭାଷାରେ ସ୍ନାତ୍ତକତ୍ତୋର ପାଠ୍ୟକ୍ରମ ପ୍ରଦାନ ସହ ଶ୍ରୀ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ପୋଥି ଏବଂ ବିଜୁ ପଟ୍ଟନାୟକଙ୍କ ବିଷୟରେ ଗବେଷଣା ପାଇଁ ବାଟ ଖୋଲିବ। ଏଥିନେଇ ସରକାର ଏକକାଳୀନ ୧୦ କୋଟି ଟଙ୍କା ସହାୟତା ଦେବେ।

ଏଥିପାଇଁ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ଜେ.ଏନ୍‌.ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।

ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା , ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଏହି କେନ୍ଦ୍ର ଓଡ଼ିଆ ବିଷୟବସ୍ତୁ ଅଧ୍ୟୟନ ପାଇଁ ମାଷ୍ଟର ପ୍ରୋଗ୍ରାମ ଆରମ୍ଭ କରିବ । ଏହାଛଡା ଏହି କେନ୍ଦ୍ରରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବ ଓ ଶାସନ, ଜଗନ୍ନାଥ ସଂସ୍କୃତି ଓ ପ୍ରାଚୀନ ଓଡିଆ ସାହିତ୍ୟର ଗ୍ରନ୍ଥାବଳୀ ସମ୍ପର୍କିତ ଅଧ୍ୟୟନର ବ୍ୟବସ୍ଥା ରହିବ ।