FeaturedLatestNewsPolitics

ନାମାଙ୍କନ ଭରିଲେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ଵର(ସଂକେତ ଟିଭି) ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ। ଏଥିସହ ବିଜେଡିର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ବିଧାନସଭା ନୂଆ କନଫରେନ୍ସ ହଲରେ ଏହି ନାମାଙ୍କନ ଦାଖଳ ପ୍ରକ୍ରିୟା ହୋଇଥିଲା।

ବିଜେଡି ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଛି । ଦେବାଶିଷ ସାମନ୍ତରାୟ ଥରେ ତିର୍ତ୍ତୋଲ ଓ ଦୁଇଥର କଟକ ବାରବାଟୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ଶୁଭାଶିଷ ଖୁଣ୍ଟିଆ ଛାତ୍ର ରାଜନୀତି ସହ ସମ୍ପୃକ୍ତ ଓ ପୁରୀ ଆଇନ ମହାବିଦ୍ୟାଳୟ ସଭାପତି ରହିଥିଲେ। ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ପରେ ସେ ସମ୍ପ୍ରତି ଯୁବ ବିଜେଡିର ଉପସଭାପତି ରହିଛନ୍ତି। ପୁରୀ ଜିଲ୍ଲାର ଜୀବନବିନ୍ଦୁ ଓ ଓଡ଼ିଶା ମୋ ପରିବାରର ସଂଯୋଜକ ଭାବରେ ସେ କାର୍ଯ୍ୟ କରିଛନ୍ତି। ଶ୍ରୀମନ୍ଦିର ସେବାୟତ ସମ୍ପ୍ରଦାୟର ସେ ପ୍ରତିନିଧିତ୍ୱ କରୁଛନ୍ତି ।

ଚଳିତ ମାସ ୨୭ ତାରିଖରେ ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ସହିତ ୧୫ଟି ରାଜ୍ୟର ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ୨୭ରେ ମତଦାନ ଆରମ୍ଭ ହେବାକୁ ଥିବାବେଳେ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ। ସେହି ଦିନ ସନ୍ଧ୍ୟା ୫ଟା ବେଳେ ଭୋଟ ଗଣତି ହେବ। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଡ. ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଥିବାରୁ ଏହି ଆସନ ପାଇଁ ନିର୍ବାଚନ ହେବ। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ଖାଲି ହେବାକୁଥିବା ୩ଟି ଆସନ ବିଜେଡି ଦଖଲ କରିବ।