FeaturedLatestNewsPolitics

ବିଜେପିରେ ଯୋଗଦେଲେ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର (ସଂକେତ ଟିଭି): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ।

ବିଜେପିରେ ସାମିଲ ହେବା ସହ ସେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି। ରାଜ୍ୟରେ ଥିବା ଅନ୍ଧ ମୂକ ବଧିର, ଗର୍ବି, ଅହଙ୍କାରୀ ସରକାର ହଟାଇବା । ଏକଛତ୍ରବାଦୀ ସରକାର ହଟାଇ, ଶାନ୍ତି ମୈତ୍ରୀ ସରଳ ଓ ଲୋକତନ୍ତ୍ରର ସରକାର ଆଣିବା। ନବୀନଙ୍କୁ ହଟାଇବା, ଓଡ଼ିଆଙ୍କୁ ଗୁରୁତ୍ବ ଦେବା । ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ ବୋଲି ପ୍ରଦୀପ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

ପ୍ରଦୀପ କହିଛନ୍ତି ଓଡ଼ିଶା ଫାଷ୍ଟ, ଓଡ଼ିଆ ଫାଷ୍ଟ ପାଇଁ ସଂକଳ୍ପ ନେବା । ବିଜେଡି ୨୦୧୪ ରୁ ବିଜେପି ଆଗରେ ଅଘୋଷିତ ସମର୍ପଣ କରି ସାରିଛି। ତେଣୁ ବିଜେପିକୁ ପୂର୍ଣ ସମର୍ଥନ ଦେଇ ଓଡ଼ିଶାରେ ସରକାର କରିବା ପାଇଁ ସୁଯୋଗ ଦିଅନ୍ତୁ ବୋଲି ପ୍ରଦୀପ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି । ହିଞ୍ଜିଳିରୁ ମିଶନ ଆରମ୍ଭ ହେବ, ଭୁବନେଶ୍ୱରରେ ଶେଷ ହେବ।

ପ୍ରଦୀପ ପୂର୍ବରୁ ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଥିଲେ । 2004 ମସିହାରୁ ପ୍ରଦୀପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଦାୟିତ୍ବରେ ରହିଥିଲେ। ସେହିଦିନଠାରୁ 2020 ପର୍ଯ୍ୟନ୍ତ ସେ ପ୍ରତ୍ୟେକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟ ତଦାରଖ କରୁଥିଲେ। 2009 ମସିହାରେ ମୁଖ୍ୟମନ୍ତ୍ରୀ ପ୍ରଦୀପଙ୍କୁ ଗୋପାଳପୁରରୁ ବିଧାନସଭା ପାଇଁ ପ୍ରାର୍ଥୀ କରିଥିଲେ। 2009, 2014 ଏବଂ 2019ରେ ଲଗାତାର ସେ ଗୋପାଳପୁର ବିଧାୟକ ଭାବେ ନିର୍ବାଚିତ ହୋଇଆସିଛନ୍ତି। 2014ରୁ 2017 ମସିହା ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।