LatestNewsSports

ବାରବାଟୀ ଷ୍ଟାଡିୟମର ହେବ ରୂପାନ୍ତରଣ କାର୍ଯ୍ୟ, ୫ଟି ଅଧ୍ୟକ୍ଷ କଲେ ସମୀକ୍ଷା

କଟକ (ସଂକେତ ଟିଭି): ରାଜ୍ୟର ଏକମାତ୍ର ଏହି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ନବକଳେବର ନିମନ୍ତେ ୬୦୦ ରୁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି। ବିସିସିଆଇର ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଉନ୍ନତିକରଣ କାମ କରାଯିବ। ନୂତନ ଗ୍ୟାଲେରି ସହ ବହୁ ଉନ୍ନତିକରଣ କାମ କରାଯାଇ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମରେ ପରିଣତ କରାଯିବ।

ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ଏବଂ ଏଥିରେ ବକେଟ ସିଟ୍ ରହିବ। ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଏହାର ସମୀକ୍ଷା କରିଛନ୍ତି । ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସମୟରେ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ରେ ବାରବାଟୀ ଷ୍ଟାଡିୟମ ରୂପାନ୍ତରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ପ୍ରକାଶଥାଉକି, ଓସିଏର ଗତ ବାର୍ଷିକ ସାଧାରଣ ବୈଠକରେ ଏ ବାବଦରେ ଘୋଷଣା କରାଯାଇଥିଲା। ୭୦ବର୍ଷର ପୁରୁଣା ବାରବାଟୀ ଷ୍ଟାଡିୟମର ନବକଳେବର ନିମନ୍ତେ ଆବଶ୍ୟକ ପଡ଼ିଲେ ବିଭିନ୍ନ ଗ୍ୟାଲେରୀକୁ ଭଙ୍ଗା ଯିବ ବୋଲି ଜଣାପଡିଛି। ନବୀକରଣର ପ୍ରିଲିମିନାରୀ ପ୍ରୋଜେକ୍ଟ ରିପୋର୍ଟ (ପିପିଆର) ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିବା ପରେ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କାମ ମଧ୍ୟ କରାଯାଉଛି।