LatestNews

ବାଲିଆପାଳକୁ ଏନଏସି ଦାବିରେ ୮ ଘଣ୍ଟିଆ ବନ୍ଦ

ବାଲିଆପାଳ ( ଉମାକାନ୍ତ ନାୟକ) : ବାଲେଶ୍ବର ଜିଲ୍ଲା ବାଲିଆପାଳକୁ ଏନଏସି ଦାବିରେ ଆଜି ୮ ଘଣ୍ଟିଆ ବାଲିଆପାଳ ବନ୍ଦ କରାଯାଇଥିଲା । ବାଲିଆପାଳ ସ୍ୱାଭିମାନୀ ମଞ୍ଚ ଏହି ବନ୍ଦ ଡାକରା ଦେଇଥିଲା । ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଲିଆପାଳ ବନ୍ଦ ରହିଥିଲା ।

ସୂଚନା ଅନୁସାରେ, ରାଜ୍ୟ ସରକାର ଗତ କିଛି ଦିନ ତଳେ ରାଜ୍ୟରେ ୩୫ଟି ନୂଆ ଏନଏସି ଘୋଷଣା କରିଥିଲା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଏଥିରୁ ବାଦ ପଡିଛି । ବାଲିଆପାଳରେ ଏନଏସି ଗଠନ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଭିତ୍ତିଭୂମି, ସ୍କୁଲ, କଲେଜ, ସରକାରୀ ଅଫିସ ଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଛନ୍ତି । ବିଶେଷ କରି ବାଲିଆପାଳରେ ସୁବିସ୍ତୀର୍ଣ୍ଣ ଡଗରା ବେଳାଭୂମି ରହିଛି, ଏଠାକୁ ପ୍ରତ୍ୟେକ ଦିନ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସନ୍ତି । ଆଗାମୀ ଦିନରେ ସୁବର୍ଣ୍ଣରେଖା ବନ୍ଦର ଓ ପେଟ୍ରୋକେମିକାଲ ବନ୍ଦର ହେବାକୁ ଥିବାବେଳେ ସରକାର ଏହାକୁ ଅଣଦେଖା କରିଛନ୍ତି ।

ବାଲିଆପାଳକୁ NAC ଗଠନ ପାଇଁ ବାଲିଆପାଳବାସୀ ବାରମ୍ବାର; ଦାବି କରିଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି । ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତି ଦାବି କରିବା ପରେ ସର୍ଭେ କରାଯାଇ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା, ମାତ୍ର ତାଙ୍କ କାର୍ଯ୍ୟକାଳ ସରିବା ପରେ ଏନେଇ ଅନ୍ୟ ବିଧାୟକ କିମ୍ବା ନେତୃତ୍ୱ କୈାଣସି ପଦକ୍ଷେପ ନେଇ ନଥିଲେ । ବର୍ତ୍ତମାନ ରାଜ୍ୟରେ ୩୪ ଟି ନୂଆ ଏନଏସି ଗଠନ କରାଯାଇଥିଲେ ମଧ୍ୟ ବାଲିଆପାଳ କୁ ବାଦ ଦିଆଯାଇଛି । ଏହାର ପ୍ରତିବାଦରେ ସ୍ବାଭିମାନୀ ବାଲିଆପାଳିଆ ମଞ୍ଚ ର ସଭାପତି ତଥା ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ପୁଅ ସତ୍ୟକାମ ମହାନ୍ତି ଙ୍କ ନେତୃତ୍ବରେ ଏହି ବନ୍ଦ ଡାକରା ଦିଆଯାଇଥିଲା ।