FeaturedGeneralLatestPolitics

ବିଜେପିରେ ମିଶିଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ

ମୁମ୍ବାଇ (ସଂକେତ ଟିଭି) ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆଜି ବିଜେପିରେ ଯୋଗଦେଇଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ, ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏବଂ ମୁମ୍ବାଇ ପ୍ରଦେଶ ଅଧ୍ୟକ୍ଷ ଆଶିଷ ସେଲାର ପ୍ରମୁଖ ଉପସ୍ଥିତ ଥିଲେ ।

ସେ ଗତକାଲି(ସୋମବାର) କଂଗ୍ରେସରୁ ଇସ୍ତଫା ଦେଇଥିଲେ । 65 ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆସନ୍ତା ନିର୍ବାଚନରେ ସେ ମଇଦାନକୁ ଓହ୍ଲାଇବେ କି ନାହିଁ ସେ ନେଇ ଭାଜପା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ରଖାଯାଇ ନାହିଁ । ତେବେ ଅଶୋକ ଚୌହାନଙ୍କ ପିତା ଶଙ୍କରରାଓ ଚୌହାନ ଦୁଇଥର ମୁଖ୍ୟମନ୍ତ୍ରୀ ରହିଥିଲେ । ଶଙ୍କରରାଓ ଚୌହାନ କାରଣରୁ ହିଁ ମରାଠଓ୍ବାଡାରେ କଂଗ୍ରେସ ଶକ୍ତିଶାଳୀ ହୋଇଥିଲା । ଅଶୋକ ଚୌହାନ 2008 ମସିହା ଡିସେମ୍ବର 8 ତାରିଖକୁ 2010 ମସିହା ନଭେମ୍ବର 9 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିଥିଲେ । ଆଦର୍ଶ ବିଲଡିଂ ସ୍କାମରେ ତାଙ୍କ ନାମ ଆସିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । 2014 ମସିହାରେ ସେ ମୋଦି ଲହର ଜାରି ରହିଥିଲେ ସୁଦ୍ଧା ନାନ୍ଦେଡ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହାପରେ ତାଙ୍କୁ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ କରାଯାଇଥିଲା ।