FeaturedLatestNewsPolitics

୩୦ଲକ୍ଷ ଓଡିଆ ଦାଦନ ଖଟୁଛନ୍ତି, ୩୦ଜଣ ଉଦ୍ୟୋଗପତି ଓଡ଼ିଶା ଲୁଟୁଛନ୍ତି: ରାହୁଲ ଗାନ୍ଧୀ

ରାଉରକେଲା (ସଂକେତ ଟିଭି): ରାଜ୍ୟର ୩୦ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ୩୦ ଜଣ ଉଦ୍ୟୋଗପତି ଆସି ଓଡ଼ିଶାକୁ ଲୁଟିବାକୁ ବସିଛନ୍ତି । ଭାରତ ଯୋଡ଼ ନ୍ୟାୟ ଯାତ୍ରା ବେଳେ ରାଉରକେଲା ପାନପୋଷ ଛକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହା କହିଛନ୍ତି ।

ରାହୁଲ କହିଛନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀଙ୍କ ପାର୍ଟନରସିପରେ ସରକାର ଚାଲିଛି । ସଂସଦରେ ଏଭଳି ଦୃଶ୍ୟ ଦେଖିଥିବା ରାହୁଲ କହିଛନ୍ତି । ପ୍ରଧାନମନ୍ତ୍ରୀ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି । ରାଜ୍ୟରେ ଗରିବ, ଆଦିବାସୀ, ଦଳିତ ଓ ପଛୁଆବର୍ଗ ଅବହେଳିତ ହୋଇ ରହିଥିବା ରାହୁଲ ଗାନ୍ଧି ଅଭିଯୋଗ ଆଣିଛନ୍ତି। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବେରୋଜଗାରୀ ବୃଦ୍ଧି ପାଇଛି । ଅନ୍ୟପଟେ କଂଗ୍ରେସ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି ।

ପାନପୋଷ ପରେ ରାହୁଲ ରାଜଗାଙ୍ଗପୁରର ରାଣୀବନ୍ଧ ନିକଟ ବିର୍ସାମୁଣ୍ଡା ପଡିଆରେ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଣୀବନ୍ଧଠାରୁ ଯାତ୍ରା ଆରମ୍ଭ କରି କୁତ୍ରାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ । ବଡ଼ଗାଁଠାରେ ମଧ୍ୟ ଜନସାଧାରଣକୁ ଉଦବୋଧନ ଦେବେ ରାହୁଲ ଗାନ୍ଧୀ । ବଡ଼ଗାଁରୁ ବାହାରି ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ନ ସାଢେ ୪ଟାରେ ପହଞ୍ଚି ପଦଯାତ୍ରା କରିବେ । ଏହି ପଦଯାତ୍ରା ଷ୍ଟାଡିୟମ୍ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇଯିବ । ସେଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଇ ଅମଲିପାଲିଠାରେ ରାହୁଲ ରାତ୍ରିଯାପନ କରିବେ ।