FeaturedGeneralLatestPolitics

ଆଉ ୫ ଦିନ ବଢିଲା ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି

ରାଞ୍ଚି(ସଂକେତ ଟିଭି): ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି କୋର୍ଟ ଆଉ ପାଞ୍ଚ ଦିନ ବଢାଇଛନ୍ତି । ସେ ଜମି ଘୋଟାଲା ମାମଲାରେ ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଛନ୍ତି ।

ଗତ 2 ତାରିଖରେ ତାଙ୍କୁ ପ୍ରଥମ ପର୍ଯ୍ୟାୟରେ 5 ଦିନିଆ ଇଡି ରିମାଣ୍ଡରେ ପଠାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ କେନ୍ଦ୍ରୀୟ ସଂସ୍ଥା ହେମନ୍ତଙ୍କୁ ରାଞ୍ଚି ସ୍ଥିତ ‘ପିଏମଏଲଏ’ କୋର୍ଟରେ ହାଜର କରିଥିଲା । ଅଧିକ ତଦନ୍ତର ଜେରାର ଦର୍ଶାଇ ଇଡି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ମାଗିଥିଲା । କୋର୍ଟ ଆଜି ହେମନ୍ତଙ୍କୁ ଆଉ 5 ଦିନ ତଦନ୍ତକାରୀ ସଂସ୍ଥା ରିମାଣ୍ଡରେ ପଠାଇଛନ୍ତି ।

ଗତମାସ (ଜାନୁଆରୀ) 31 ତାରିଖରେ ଦିନ ତମାମ ବାସଭବନରେ ଜେରା କରିବା ପରେ ସଂଧ୍ୟାରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଜେରା ମଧ୍ୟରେ ସେ ଇଡି କଷ୍ଟଡିରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ଇସ୍ତଫା ଦେଇ ଫେରିଥିଲେ । ପରେ ତାଙ୍କୁ ଗିରଫ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ କାର୍ଯ୍ୟାଳୟକୁ ନେଇଥିଲା । ଫେବୃଆରୀ ପହିଲାରେ ତାଙ୍କୁ ରାଞ୍ଚିର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା ।

ଏହାରି ମଧ୍ୟରେ ରାଜ୍ୟରେ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ଗୃହରେ ଆସ୍ଥାଭୋଟରେ ବହୁମତ ପ୍ରମାଣ ଦେବାରେ ସଫଳ ମଧ୍ୟ ହୋଇସାରିଛନ୍ତି ।