FeaturedLatestNews

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

କଟକ (ସଂକେତ ଟିଭି): ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଗତ ଅକ୍ଟୋବର ୩ ତାରିଖରେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟବିଚାରପତି ଜଷ୍ଟିସ ଶୁବାଶିଷ ତାଳପତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ପରେ ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ତୁଲାଉଥିଲେ । ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ଗତ ୨ ତାରିଖରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିବାପରେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ୧୯୯୦ ଜାନୁଆରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ୨୦୧୨ ମସିହା ଏପ୍ରିଲ ୫ ତାରିଖରେ ପାଟନା ହାଇକୋର୍ଟର ବିଚାରପତି ଭାବେ ସେ ନିଯୁକ୍ତ ହୋଇଥିଲେ । ଶରଣ ସିଂ ୨୦୨୫ ଜାନୁୟାରୀ ମାସରେ ଅବସର ନେବେ ।