FeaturedGeneralLatestPolitics

ନିର୍ବାଚନୀ ପ୍ରଚାରରେ ବ୍ୟବହାର ହେବେନି ଛୋଟ ପିଲା : ନିର୍ବାଚନ ଆୟୋଗଙ୍କ କଡା ନିର୍ଦ୍ଦେଶ  

ନୂଆଦିଲ୍ଲୀ (ସଂକେତ ଟିଭି): ନିର୍ବାଚନ କମିଶନ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଣିକି ଆଉ ରାଜନୈତିକ ଦଳ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିପାରିବେ ନାହିଁ।

ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ। ସମସ୍ତ ରାଜନୈତିକ ଦଳ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେବେ ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳଙ୍କୁ ଇସି ଏଭଳି କିଛି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ସମ୍ବନ୍ଧୀୟ କୌଣସି ବି କାମରେ ଛୋଟ ପିଲା କିମ୍ବା ନାବାଳିକା ନାବାଳକଙ୍କୁ ବ୍ୟବହାର କରପାରିବେ ନାହିଁ। କେବଳ ସେତିକି ନୁହେଁ ପ୍ରଚାର ବେଳେ ପିଲାଙ୍କୁ ପ୍ରାର୍ଥୀମାନେ କୋଳରେ ଧରିବେ ନାହିଁ କି ଗାଡିରେ ବସାଇ ରାଲି କରିପାରିବେ ନାହିଁ। ସୋମବାର ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳମାନଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

ସାଧାରଣ ନିର୍ବାଚନରେ ପ୍ରଚାର ପତ୍ର ବାଣ୍ଟୁଥିବା, ପୋଷ୍ଟର ଲଗାଉଥିବା, ନାରା ଦେଉଥିବା କିମ୍ବା ଦଳୀୟ ପତକା ଧରି ଚାଲୁଥିବା ଛୋଟ ପିଲା କିମ୍ବା ନାବାଳକମାନେ ଯେପରି ଦେଖାଯିବେ ନାହିଁ ସେଥିପାଇଁ ଇସି କଡା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚାର ବେଳେ ପିଲାଙ୍କ ହାତରେ କୌଣସ ଦଳୀୟ ପତାକା ଦିଆଯିବ ନାହିଁ। ପୋଷ୍ଟର ଲଗାଇବା ତଥା ପାମ୍ପ୍ଲେଟ ବାଣ୍ଟିବା, ନିର୍ବାଚନ ରାଲି, ଗୀତ, କବିତା ପାଠ, ନାରା ଦେଉଥିବା, ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ଧରିଥିବା ତଥା ବୈଠକ ଆଦିରେ ପିଲାଙ୍କ ବ୍ୟବହାର ଉପରେ ଇସି ରୋକ ଲଗାଇଛନ୍ତି।

ଯଦି କୌଣସି ଦଳ ନିଜର ନିର୍ବାଚନ ପ୍ରଚାରରେ ପିଲାଙ୍କୁ ସାମିଲ କରିବାର ଦେଖାଯାଉଛି, ତେବେ ଶିଶୁ ଶ୍ରମ ଆଇନ ୧୯୮୬ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ କରାଯିବ। ଏସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କୁ କାର୍ଯ୍ୟନୁଷ୍ଠାନ ନେବାର ଦାୟିତ୍ବ ଦିଆଯାଇଛି। ଅବଶ୍ୟ ପ୍ରଚାର ସମୟରେ ଯଦି କୌଣସି ନେତାଙ୍କ ଆଖପାଖରେ, ମାତା-ପିତା କିମ୍ବା ଅଭିଭାବକଙ୍କ ସହ କେହି ଶିଶୁ ଅଛନ୍ତି ତେବେ ତାହା ଉଲ୍ଲଘଂନ ବୋଲି ଧରାଯିବନାହିଁ।