LatestNews

ଆଉ ୫ ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜି ସେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ବରଗଡ ଜିଲ୍ଲାରେ ସର୍ବମୋଟ 243ଟି ଗ୍ରାମ ପଂଚାୟତ ଏବଂ 11ଟି ବ୍ଲକରେ ଥିବା 14ଲକ୍ଷ ଲୋକଙ୍କୁ ବ୍ଲକ ସହିତ ସଂଯୋଗ କରିବା ପାଇଁ 57ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 11ଟି ଏସି ବସ କାର୍ଯ୍ୟରେ ଲଗା ଯାଇଛି ।

ବଲାଙ୍ଗୀର ଜିଲ୍ଲାରେ 317ଟି ଗ୍ରାମ ପଂଚାୟତ ଓ 11ଟି ବ୍ଲକ ସହିତ ସଂଯୋଗ କରିବା ପାଇଁ ସର୍ବମୋଟ 42ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 13ଟି ଏସି ବସର ଶୁଭାରମ୍ଭ କରାଯାଇଛି ଯାହାଦ୍ୱାରା ଏହି ଜିଲ୍ଲାର ୧୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ ।

ମୟୁରଭଞ୍ଜ ଜିଲ୍ଲାର 26ଟି ବ୍ଲକ ଓ 386ଟି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିଛି ଆମ ଲକ୍ଷ୍ମୀ ବସ । ବ୍ଲକ ସହିତ ସଂଯୋଗ କରିବା ପାଇଁ 104ଟି ଅଣ-ଏସି ବସ ଓ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 26ଟି ଏସି ବସର ଆରମ୍ଭ କରାଯାଇଛି. ଏହା ଦ୍ୱାରା ସିଧାସଳଖ ଭାବେ ପାଖାପାଖି 24ଲକ୍ଷ ଲୋକ ଲକ୍ଷ୍ମୀ ବସର ସେବା ପାଇପାରିବେ ।

ଏହା ବ୍ୟତୀତ ସୁନ୍ଦରଗଡ ଜିଲ୍ଲାରେ ସର୍ବମୋଟ 35ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା 240ଟି ଗ୍ରାମ ପଂଚାୟତ ଏବଂ 17ଟି ବ୍ଲକ ଏହି ଯୋଜନାରେ ଉପକୃତ ହେବେ । ବ୍ଲକ ସହିତ ସଂଯୋଗ କରିବା ପାଇଁ 65ଟି ଅଣ-ଏସି ବସ ଓ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 16ଟି ଏସି ବସ ଆରମ୍ଭ କରାଯାଇଛି । ସେହିପରି କେନ୍ଦୁଝର ଜିଲ୍ଲାର 271ଟି ଗ୍ରାମ ପଂଚାୟତ ଏବଂ 13ଟି ବ୍ଲକରେ ଥିବା 35ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବ୍ଲକ ସହିତ ସଂଯୋଗ କରିବା ପାଇଁ 78ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 13ଟି ଏସି ବସର ବ୍ୟବହାର କରି ପାରିବେ ।

ବର୍ତମାନ ସୁଦ୍ଧା ରାଜ୍ୟର 14ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ସଫଳ ରୂପେ ରୂପାୟନ ହୋଇ ସାରିଛି ।