FeaturedGeneralLatestPolitics

ଆସ୍ଥାଭୋଟରେ ବିଜୟୀ ହେଲେ ନୀତୀଶ କୁମାର

ପାଟନା (ସଂକେତ ଟିଭି) ନୀତୀଶ କୁମାର ବିହାର ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କ ସପକ୍ଷରେ ୧୨୯ଟି ଭୋଟ ପଡ଼ିଥିବାବେଳେ ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ।

ଆସ୍ଥାଭୋଟ ପୂର୍ବରୁ ନୀତୀଶ କୁମାର ଗୃହରେ ଆରଜେଡିକୁ ଟାର୍ଗେଟ କରି କହିଥିଲେ ଯେ, ଆମେ ସେମାନଙ୍କୁ ସମ୍ମାନ ଦେଇଥିଲୁ ଏବଂ ଆମେ ଜାଣିବାକୁ ପାଇଲୁ ଯେ ଏହି ଲୋକମାନେ ଦୁର୍ନୀତି କରୁଥିଲେ। ବିଜେପି କେବେ ବି ଏପରି କରେନାହିଁ। ଆମେ ରାଜ୍ୟର ସ୍ୱାର୍ଥ ପାଇଁ କାମ କରିବୁ।

ପୂର୍ବରୁ ଗୃହରେ ଆରଜେଡି ନେତା ତେଜସ୍ୱୀ ଯାଦବ କହିଥିଲେ ଯେ- ଆମେ ଲାଲୁଜୀଙ୍କ ପୁଅ, ଆମେ ଏସବୁକୁ ଭୟ କରୁନାହୁଁ, ଆମେ ଲଢ଼େଇ କରିଥାଉ। ଗତ ୧୭ ମାସ ମଧ୍ୟରେ ହୋଇଥିବା କାମର ଶ୍ରେୟ ଆମେ କାହିଁକି ନ ନେବୁ ? ସମୟ ଆସିଲେ ତେଜସ୍ୱୀ ଫେରିବ ।

ଫ୍ଲୋର ଟେଷ୍ଟ ପୂର୍ବରୁ ବିହାର ବିଧାନସଭା ଆରଜେଡିର ନେତା ଅବଧ ବିହାରୀ ଚୌଧୁରୀଙ୍କୁ ସଦନର ଅଧ୍ୟକ୍ଷ ପଦରୁ ହଟାଇବା ପ୍ରସ୍ତାବକୁ ସୋମବାର ପାରିତ କରିଛି । ଏହା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହିତ ମିଶି ପ୍ରସ୍ତୁତ ନିଜ ନୂଆ ସରକାର ପାଇଁ ବିଶ୍ବାସ ମତ ହାସଲ କରିବା ପାଇଁ ସୋମବାର ବିଧାନସଭାରେ ପ୍ରସ୍ତାବ ଆଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୫ ଦିନ ପୂର୍ବରୁ ମହାମେଣ୍ଟରୁ ଅଲଗା ହୋଇ ବିଜେପି ସହିତ ମିଶିଥିଲେ । ପୂର୍ବ ମହାମେଣ୍ଟ ସରକାରର ଅଂଶ ରହିଥିବା ଆରଜେଡି ନେତା ଚୌଧୁରୀ ନିଜ ପାର୍ଟିର କ୍ଷମତାରୁ ବାହାରିଯିବା ପରେ ନିଜ ପଦ ଛାଡିବା ପାଇଁ ମନା କରିଦେଇଥିଲେ । ଏନଡିଏ ତରଫରୁ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅବିଶ୍ବାସ ପ୍ରସ୍ତାବକୁ ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୨୫ ବିଧାୟକଙ୍କ ସମର୍ଥନ ମିଳିଲା । ତେବେ ୧୧୨ ସଦସ୍ୟ ଏହା ବିରୁଦ୍ଧରେ ମତଦାନ କରିଛନ୍ତି ।