LatestNewsPolitics

ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ବାଲେଶ୍ବର (ସଂକେତ ଟିଭି) : ବିଜେଡିରୁ ଇସ୍ତଫା ଦେଲେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ସେ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଦେଇଛନ୍ତି ।

ଏନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଦର୍ଶନ କହିଛନ୍ତି, ଭଲ କାର୍ଯ୍ୟ କରିବା ସତ୍ତ୍ୱେ ଦଳର ଜିଲା ସଂଗଠନ ଓ ଏହାର ଦାୟିତ୍ୱରେ ରହିଥିବା ନେତାମାନେ ତାଙ୍କୁ ଅପମାନିତ ଓ ଅଣଦେଖା କରାଯାଇଥିଲା। କିଛି କୁଚକ୍ରି ଗୋଷ୍ଠୀଙ୍କ କଥାରେ ପରିଚାଳିତ ହୋଇ ଦଳର ଶୀର୍ଷ ନେତୃତ୍ୱ ତାଙ୍କୁ ଆଗଭଳି ଆଉ ଗୁରୁତ୍ୱ ଦେଇନଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଆଉ ଆଗଭଳି ଭେଟି ହେଉନାହିଁ। ଦଳରେ ଅମଲାଙ୍କୁ ପ୍ରାଧାନ୍ୟ ଦିଆଯାଉଛି। କ୍ଷମତା ନିଶାରେ ବିଜେପି ଭଳି ଏକ ସାମ୍ପ୍ରଦାୟିକତାରେ ବିଶ୍ୱାସ କରୁଥିବା ଦଳ ସହ ବିଜେଡି ପୁଣିଥରେ ମେଣ୍ଟ କରିବାକୁ ଅଣ୍ଟା ଭିଡ଼ିବା ତାଙ୍କୁ ବ୍ୟଥିତ କରିଛି। ଏବେ ବିଜେଡି ବିଜେପିର ଟିମ୍‌-ବି ହୋଇଯାଇଛି। ଏହି ସବୁ କାରଣ ପାଇଁ ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରେମୁଣାବାସୀଙ୍କ ସେବା ପାଇଁ ଖୁବଶୀଘ୍ର ଧର୍ମନିରପେକ୍ଷତାରେ ବିଶ୍ୱାସ ରଖିଥିବା ଏକ ଜାତୀୟ ଦଳରେ ସେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି।

୨୦୦୯ରେ ସୁଦର୍ଶନ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଠାରୁ ୧୩ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିଲେ। ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା। ତାଙ୍କ ବଦଳରେ ଦଳ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଟିକେଟ୍ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ।