LatestNews

ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯୋଡ଼ା ସହରରେ ନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଲୋକାର୍ପିତ କରିଛନ୍ତି । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଫ୍ଲାଏଓଭରକୁ ଉଦଘାଟନ କରିଛନ୍ତି । ଡିଏମ୍‌ଏଫ ଫଣ୍ଡରୁ ୨୫୦ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ୟ୍ୟ ୨୦୨୦ ରେ ଆରମ୍ଭ ହୋଇଥିଲାବେଳେ ଏହାର ନିର୍ମାଣ ଦାୟିତ୍ବ ନେଇଥିଲା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) । ପ୍ଲାଏଓଭର ଟି ଏନ୍ ଏଚ୍ ୫୨୦ ର ରଣାଶାଳ ଛକ ଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ଆପ୍ରୋଚ ରୋଡ୍ ସହିତ ୪.୪୮୭ କି.ମି. ଲମ୍ବ ନିର୍ମାଣ ହୋଇଛି। ତିନି ଲେନ୍ ବିଶିଷ୍ଟ ଏହି ଫ୍ଲାଏଓଭରର ଲମ୍ବ ୨.୯୮ କି.ମି. ଏବଂ ଓସାର ସାଢେ଼ ପାଞ୍ଚ (୫.୫) ମିଟର ରହିଛି । ସେହିପରି ଏହି ଫ୍ଲାଏଓଭରର ଭାର ବହନ କ୍ଷମତା ୪୦୦ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ରହିଛି ।

୨.୯୮ କି.ମି ଲମ୍ବ ବିଶିଷ୍ଟ ଏହି ଫ୍ଲାଏ ଓଭରର ଚଉଡ଼ା ୧୨ମିଟର ଥିବା ବେଳେ ଭୂମି ଠାରୁ ଏହାର ସର୍ବାଧିକ ଉଚ୍ଚତା ୬୦ଫୁଟ ରହିଛି । ସମ୍ପୂର୍ଣ ଭାରତୀୟ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ଦୀର୍ଘତମ ସେତୁଟି ନିର୍ମାଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଫ୍ଲାଏ ଓଭର ଉପରେ ଥିବା ମୋଡ ଗୁଡ଼ିକ ରେ ସିଗ୍ନାଲ ବୋର୍ଡ ଲଗାଯାଇଛି । ଏଥିରେ ସ୍ଵତନ୍ତ୍ର ଭାବେ ଲୁହା ବିୟରିଂ ବଦଳରେ ଇଲେଷ୍ଟ୍ରମେଟିକ ବୀୟରିଂ ର ବ୍ୟବହାର ରାଜ୍ୟରେ ପ୍ରଥମଥର ପାଇଁ କରାଯାଇଛି, ଯାହାକି ରବରରେ ତିଆରି । ୧୧୧ ପିଲର ଥିବା ଏହି ସେତୁଟି ଓବିସିସିର ସାଧାରଣ ପରିଚାଳକ ନରସିଂହ ମହାନ୍ତଙ୍କ ପ୍ରତ୍ୟକ୍ଷ ସର୍ବେକ୍ଷଣରେ ସମ୍ପୂର୍ଣ୍ଣ ନିର୍ମାଣ କରାଯାଇଛି । ଫ୍ଲାଏ ଓଭରରେ ଲୋକଙ୍କ ସୁବିଧା ପାଇଁ ଉଜ୍ଜ୍ବଳ ଆଲୋକୀକରଣ ମଧ୍ୟ କରାଯାଇଛି ।

ଏହି ଫ୍ଲାଏ ଓଭରର ନିର୍ମାଣ କାର୍ଯ୍ୟ ୨୦୨୧ମସିହାରେ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ମାସରେ ସମ୍ପୂର୍ଣ ହେବାର ସମୟ ସୀମା ଥିଲେ ହେଁ ବିଭିନ୍ନ କାରଣ ଯଥା ଜମି ଅଧିଗ୍ରହଣ, ଟ୍ରାଫିକ ସମସ୍ୟା, ବହୁଳ ଖଣିଜ ବୋଝେଇ ଭାରିଯାନ ଚଳାଚଳ, ଶିଳ୍ପ ସଂସ୍ଥାର ସ୍ଲରୀ ପାଇପ ଲାଇନ, ପାନୀୟ ଜଳ ପାଇପ ଲାଇନ ପ୍ରଭୃତି ସମସ୍ୟାର ସମାଧାନ ପରେ ଏହି କାର୍ଯ୍ୟ ୨୦୨୪ ମାର୍ଚ୍ଚରେ ସମ୍ପୂର୍ଣ ହୋଇଛି ।

ତେବେ ଆଜି ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଲୋକାର୍ପଣ ଅବସରରେ ଯୋଡ଼ା ଠାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଯୋଡ଼ା ଓ ବଡ଼ବିଲର ପୌରାଧ୍ୟକ୍ଷଙ୍କ ସହିତ ବହୁ ସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣ ଯୋଗଦେଇ ଥିଲେ।