FeaturedGeneralLatest

ବଡ଼ ଅଦଳବଦଳ କଲେ ନିର୍ବାଚନ କମିଶନ, ବଦଳିଲେ ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୬ ରାଜ୍ୟର ଗୃହ ସଚିବ

ନୂଆଦିଲ୍ଲୀ (ସଂକେତ୍ ଟିଭି ) :ଆଜି ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟରେ ବରିଷ୍ଠ ଅଧିକାରୀ ସ୍ତରରେ ଏକ ବଡ ପରିବର୍ତ୍ତନ କରିଛନ୍ତି । ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ୬ଟି ରାଜ୍ୟରେ ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗ ପୋଲିସ ଡିଜି ରାଜୀବ କୁମାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବେଶ ନିକଟତର ଅଧିକାରୀ ଭାବେ ଜଣାଶୁଣା । ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି । ସେହିପରି ଗୁଜୁରାଟ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୃହସଚିବଙ୍କୁ ମଧ୍ୟ ଦାୟିତ୍ବରୁ ଅପସାରଣ କରାଯାଇଛି । ଏହି ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ଓ ଏ ସମ୍ପର୍କିତ ପ୍ରକ୍ରିୟା ସହ ସିଧାସଳଖ ଦାୟିତ୍ବରେ ନରଖିବା ପାଇଁ ନିର୍ବାଚନ ଆୟୋଗ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହା ସହ ଆୟୋଗ ମିଜୋରାମ ଓ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ମଧ୍ୟ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ମୁମ୍ବାଇ ମହାନଗର ନିଗମର କମିଶନର ଇକବାଲ ସିଂ ଚହଲଙ୍କ ସମେତ ଅତିରିକ୍ତ କମିଶନର ଓ ଉପ-ଆୟୁକ୍ତଙ୍କୁ ମଧ୍ୟ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ମିଳିସାରିଛି । ଯେଉଁ ସରକାରୀ ଅଧିକାରୀମାନେ ଗୋଟିଏ ପଦବୀରେ ଗତ ତିନି ବର୍ଷ ଧରି କାର୍ଯ୍ୟରତ ଅଛନ୍ତି, କିମ୍ବା ନିଜ ଗୃହଜିଲ୍ଲାରେ କୌଣସି ଦାୟିତ୍ବରେ ଅବସ୍ଥାପିତ ରହିଛନ୍ତି, ସେମାନଙ୍କୁ ତୁରନ୍ତ ଅନ୍ୟତ୍ର କିମ୍ବା ଅନ୍ୟ ପଦବୀକୁ ବଦଳି କରିବା ପାଇଁ ଆୟୋଗ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।