FeaturedLatestNewsPolitics

ବିଜେଡ଼ିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

ଭୁବନେଶ୍ୱର (ସଂକେତ ଟିଭି) : ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ୮୨ ବର୍ଷ ବୟସରେ ଦାମୋଦରଙ୍କ ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଚିକିତ୍ସାଧୀନଥିଲେ । ହୃଦଘାତ ପରେ ସେ ଗୁରୁତର ହୋଇପଡ଼ିଥିଲେ । ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ବ୍ରେନଡେଡ ପରେ ତାଙ୍କୁ ଶୁକ୍ରବାର ଭୋର ୫ଟା ୨୩ ମିନିଟରେ ମୃତ ଘୋଷଣା କରାଯାଇଛି ।

ଦାମୋଦର ରାଉତଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ଦାମ ରାଉତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟର ବିକାଶ ଲାଗି ଦାମୋଦର ରାଉତଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ଏକାଧିକ ଥର ସେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଭିନ୍ନ ବିଭାଗର ମନ୍ତ୍ରୀ ପଦରେ ରହି ସେବା କରି ଆସିଛନ୍ତି। ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସେହିପରି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକରେ ରାଜ୍ୟପାଳ ରଘୁବର ଦାସ ଶୋକ ପ୍ରକାଶ କରିଛନ୍ତି। ଦାମ ରାଉତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଶୋକସନ୍ତପ୍ତ ପରିବାର ଏବଂ ଅନୁଗାମୀମାନଙ୍କୁ ସମବେଦନା ଜଣାଇଛନ୍ତି। ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ଓ ଲୋକପ୍ରିୟ ରାଜନେତା ଭାବେ ତାଙ୍କର ପ୍ରତିଷ୍ଠା ରହିଛି ବୋଲି କହିଛନ୍ତି ରାଜ୍ୟପାଳ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦାମ ରାଉତଙ୍କୁ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି ବୋଲି ସୋଶାଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ୟ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି ସହ ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ।

ଡାକ୍ତର ଦାମୋଦର ରାଉତ ୭ ଥର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୭୭ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦାମୋଦର ରାଉତ ୧୯୪୨ ମସିହାର ଜୁଲାଇ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କପିଳ ଚରଣ ରାଉତ ଓ ପତ୍ନୀଙ୍କ ନାମ ସ୍ନେହା ରାଉତ । ୧୯୭୭ ମସିହାରେ ଦାମୋଦର ରାଉତ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଜନତା ପାର୍ଟି ଟିକେଟରେ ଏରସମା ଆସନରୁ ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ । ପରେ ୧୯୮୦ରେ ଜନତା ପାର୍ଟି-ସେକ୍ୟୁଲାର ଟିକେଟରେ ବିଧାନସଭାକୁ ଏରସମାରୁ ବିଜୟୀ ହୋଇଥିଲେ । ୧୯୯୦ରେ ପୁନଶ୍ଚ ଜନତା ଦଳ ଟିକେଟରେ ଏରସମାରୁ ବିଧାନସଭାକୁ ଆସିଥିଲେ ।

ରାଜ୍ୟ ରାଜନୀତିର ଆଗଧାଡ଼ିର ଟାଣୁଆ ନେତା ଥିଲେ ଦାମୋଦର । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୭୯ ଅକ୍ଟୋବର ୨୫ ତାରିଖରୁ ୧୯୮୦ ଫେବୃଆରୀ ଦୁଇ ତାରିଖ ପର୍ଯ୍ୟନ୍ତ ସେ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଥିଲେ । ପରେ ସୋସିଆଲ ୱେଲଫେୟାର ବିଭାଗ ସହ ୧୯୯୩ରୁ ୧୯୯୫ ମସିହା ପର୍ଯ୍ୟନ୍ତ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ଡାକ୍ତର ଦାମୋଦର ରାଉତ । ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଭାବେ ମଧ୍ଯ କାର୍ଯ୍ଯ କରିଥିଲେ ।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ, କୃଷି, ସମବାୟ, ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ସ୍ବାସ୍ଥ୍ଯ, ଅବକାରୀ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହାଛଡ଼ା ବିଧାନସଭାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମିଟିରେ ମଧ୍ଯ ଦାମୋଦର ସ୍ଥାନ ପାଇଥିଲେ । ବିଜୁ ବାବୁଙ୍କ ସହିତ ଅତି ଘନିଷ୍ଠ ଥିଲେ ଦାମୋଦର । ବିଜୁଙ୍କ ପରାମର୍ଶରେ ସେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ ।